ଶାହାରୁଖଙ୍କ ପୁଅ ଆରୟନ୍ ଖାନ୍ ସେବନ କରିଥିଲେ ଚରସ । ଏନଡିପିଏସ ଆଇନ ଅଧିନରେ ହୋଇପାରେ ବର୍ଷେ ଜେଲ ଓ ୨୦ ହଜାର ଟଙ୍କା ଜରିମାନା

ଡ୍ରଗ୍ସ ରଖିବା ଓ କାରବାର କରିବା ନେଇ ତାଙ୍କ ବିରୋଧରେ ହେବ ଖୋଳତାଡ

106

କନକ ବ୍ୟୁରୋ : ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ ଏନସିବି ହେପାଜତରେ ରାତି ବିତାଇବାକୁ ପଡିଛି । ଏ ପର୍ଯ୍ୟନ୍ତ ସେ କେବଳ ନିଷିଦ୍ଧ ଡ୍ରଗ୍ସ ‘ଚରସ’ ସେବନ କରିଥିବା ଜଣାପଡିଛି । ତେବେ ସେ ଡ୍ରଗ୍ସ ରଖିଥିଲେ ନା ନାହିଁ ଏବଂ କେଉଁଠାରୁ ଆଣିଥିଲେ ଏସବୁ ବାବଦରେ ଖୋଳତାଡ ହେବ । କାରଣ ତାଙ୍କ ବିରୋଧରେ ଏନଡିପିଏସ ଆଇନର ବିଭିନ୍ନ ଧାରାରେ ଡ୍ରଗ୍ସ ସେବନ କରିବା, କିଣିବା, ପାଖରେ ରଖିବା ଓ ବିକିବା ଭଳି ଅଭିଯୋଗରେ ମାମଲା କରାଯାଇଛି । ଆରୟନଙ୍କ ସହ ତାଙ୍କ ଅଭିନେତା ବନ୍ଧୁ ଅର୍ବାଜ ମର୍ଚାଂଟ ଏବଂ ମୁନମୁନ ଧାମେଛାଙ୍କ ଏନସିବି ରିମାଣ୍ଡ ଆଜି ଶେଷ ହେଉଛି । ମାମଲାରେ ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଏନସିବି କହିଛି । ତେବେ ଆସନ୍ତୁ ଦେଖିବା ପୁରା ମାମଲାରେ ଆର୍ୟନ ଖାନଙ୍କ ସଂପୃକ୍ତି ନେଇ କଣସବୁ ତଥ୍ୟ ବର୍ତ୍ତମାନ ସୁଦ୍ଧା ପଦାକୁ ଆସିଛି ।

– କୋର୍ଡେଲିଆ କ୍ରୁଜରେ ଚାଲିଥିବା ରେଭ ପାର୍ଟିରେ କେବଳ ଚରସ ସେବନ କରିଥିଲେ ଆରୟନ୍ ଖାନ୍
– ଏଥିପାଇଁ ତାଙ୍କୁ ସର୍ବାଧିକ ୧ ବର୍ଷ ଜେଲ ସହ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ
– ଆରୟନଙ୍କୁ ପାର୍ଟିରେ ଅତିଥୀ ଭାବେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଥିବା କହିଛନ୍ତି ତାଙ୍କ ଓକିଲ
– ତେଣୁ ଆରୟନଙ୍କ ପାଖରେ କୋର୍ଡେଲିଆ କ୍ରୁଜ ସିପର କୌଣସି ଟିକେଟ୍ ମଧ୍ୟ ନଥିବା ଦର୍ଶାଯାଇଛି
– ହେଲେ ତାଙ୍କ ବିରୋଧରେ ଡ୍ରଗ୍ସ ସେବନ, କିଣିବା, ରଖିବା ଓ ବିକିବା ଭଳି ମାମଲା କରିଛି ଏନସିବି
– ଡ୍ରଗ୍ସ କାରବାରକୁ ୧୯୮୫ ଏନଡିପିଏସ ଆଇନରେ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି
– ସ୍ମଲ କ୍ୱାଂଟିଟି ଅର୍ଥାତ ଅଳ୍ପ ପରିମାଣ, ଅଳ୍ପରୁ ଅଧିକ କିନ୍ତୁ ବ୍ୟବସାୟିକ ପରିମାଣରୁ କମ୍, ତୃତୀୟଟି କମର୍ସିଆଲ କ୍ୱାଂଟିଟି ଅର୍ଥାତ ବ୍ୟବସାୟିକ ପରିମାଣ,
– ସ୍ମଲ କ୍ୱାଂଟିଟିର ଡ୍ରଗ୍ସ ରଖିଥିଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ସହ ୨୦ ହଜାର ଟଙ୍କା ଜୋରିମାନା
– ଅଳ୍ପରୁ ଅଧିକ କିନ୍ତୁ ବ୍ୟବସାୟିକ ପରିମାଣରୁ କମ୍ ଡ୍ରଗ୍ସ ଧରାପଡିଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନା
– କମର୍ସିଆଲ କ୍ୱାଂଟିଟି ପାଇଁ ୧୦ରୁ ୨୦ ବର୍ଷ ଜେଲ ସହ ୧ରୁ ୨ ଲକ୍ଷ ଯାଏଁ ଜୋରିମାନା ବ୍ୟବସ୍ଥା ରହିଛି