ଆଜି ଭିକି-କ୍ୟାଟ୍ରଙ୍କ ବାହାଘର : ରାଜସ୍ଥାନ ମୋଧୋପୁରରେ ଥିବା ସିକ୍ସ ସେନ୍ସସ ଫୋର୍ଟରେ ଜୋରଦାର ପ୍ରସ୍ତୁତି

ବିହାହରେ ଯୋଗ ଦେବାକୁ ଆସୁଛନ୍ତି ବଲିଉଡ କଳାକାର

177

କନକ ବ୍ୟୁରୋ : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୌଫ୍ । ରାଜସ୍ଥାନର ମୋଧୋପୁରରେ ଥିବା ସିକ୍ସ ସେନ୍ସସ ଫୋର୍ଟରେ ବିବାହ ହେବ । ପ୍ରାୟ ଦୁଇ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଥିବା ବେଳେ ଗତ ମାସରେ ଉଭୟ ବିବାହ ବନ୍ଧନର ବାନ୍ଧିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା । ବିବାହରେ ସାମିଲ ହେବାକୁ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ଥିବା ବେଳେ ଅନେକ ସାଥୀ କଳାକାର ରାଜସ୍ଥାନର ଏହି ପ୍ୟାଲେସରେ ପହଂଚିଛନ୍ତି । ଏହି ହାଇପ୍ରୋଫାଇଲ ବିବାହ ପାଇଁ ସ୍ଥାନୀୟ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୨ ତାରିଖ ଯାଏ ଉଭୟ ଏହି ଫୋର୍ଟରେ ରହିବେ ବୋଲି ଜଣାପଡିଛି । ଏହାପରେ ସ୍ଥାନୀୟ ଚୌଥ ମାତା ମନ୍ଦିରକୁ ଦର୍ଶନ ପାଇଁ ଯିବେ ବୋଲି ସୂଚନା ରହିଛି ।

ମାତ୍ର ୧୨୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ଅତିଥିମାନଙ୍କ ପାଇଁ ବି କେତେକ ସର୍ତ୍ତ ରଖାଯାଇଛି ଯେ ସେମାନେ ଫଟୋ ଉଠାଇପାରିବେ ନାହିଁ କି ବାହାଘର ବିଷୟରେ ବାହାରେ ଚର୍ଚ୍ଚା କରିବେ ନାହିଁ ଇତ୍ୟାଦି । କିନ୍ତୁ ଫଟୋଉଠା ଉପରେ ପ୍ରତିବନ୍ଧ ଲାଗିଥିଲେ ମଧ୍ୟ ଦୀପାବଳିରେ ହୋଇଥିବା ସେମାନଙ୍କ ନିର୍ବନ୍ଧଠାରୁ ଆରମ୍ଭ କରି ବର୍ତ୍ତମାନର ସଂଗୀତ ଓ ମେହେନ୍ଦି ଆଦି ସବୁ କାର୍ଯ୍ୟକ୍ରମର ଭଳିକି ଭଳି ଫଟୋ ସୋସିଆଲ ମିଡ଼ିଆରେ ଓ ବିଭିନ୍ନ ୱେବ୍‌ସାଇଟରେ ଦେଖିବାକୁ ମିଳୁଛି । ତେବେ ବିବାହ ସମାରୋହକୁ ପ୍ରାଇଭେଟ୍ ରଖାଯିବାର କାରଣ କ’ଣ ତାହା ଏବେ ପଦାକୁ ଆସିଛି। ସୂଚନା ଅନୁସାରେ ଏକ ଓଟିଟି କମ୍ପାନି ବିବାହ ଫଟୋ ପାଇଁ ବଡ଼ ଅଫର ଦେଇଛି । ୧୦୦ କୋଟି ଟଙ୍କାର ଅଫର। ସେଥିପାଇଁ କ୍ୟାଟ୍ରିନା ଓ ଭିକ୍କି ଫଟୋ ଯେପରି ଲିକ୍ ନ ହୁଏ ସେଥିପାଇଁ ଖାସ୍ ବ୍ୟବସ୍ଥା କରିଛନ୍ତି ।

ଖବର ଅନୁସାରେ ଯେଉଁ ଓଟିଟି କମ୍ପାନି ଅଫର ଦେଇଛି ସେ ଦୁହିଁଙ୍କ ବିବାହର ଭିଡିଓଗୁଡ଼ିକୁ ଓଟିଟି ପ୍ଲାଟଫର୍ମରେ ଛାଡ଼ିବାକୁ ଯୋଜନା କରିଛି । ତେବେ କ୍ୟାଟ୍ରିନା ଓ ଭିକ୍କିଙ୍କ ଦ୍ବାରା ସେମାନଙ୍କ ବିବାହ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇ ନାହିଁ । ଏ ପ୍ରକାର ଟ୍ରେଣ୍ଡ୍ ନୂଆ ନୁହେଁ । ଆଗରୁ କେତେକ ଷ୍ଟାର ସେଲିବ୍ରିଟି ବି ଏହାକୁ ଆପଣେଇଛନ୍ତି । କେତେକ ବାହାର ଦେଶରେ ବି ଏହି ଧାରା ବହୁ ଆଗରୁ ଚାଲିଆସୁଛି । କେତେକ ସେଲିବ୍ରିଟି ନିଜ ବିବାହର ଏକ୍ଲୁସିଭ୍ ଫଟୋ ଓ ଭିଡିଓଗୁଡ଼ିକର ରାଇଟ୍‌କୁ କୌଣସି କମ୍ପାନିକୁ ମୋଟା ମୂଲ୍ୟ ବିନିମୟରେ ବିକ୍ରି କରିଦେଇଥାନ୍ତି ।

ଉଲ୍ଲେଖଯୋଗ୍ୟ, ଉଭୟ ପକ୍ଷର ପରିବାରବର୍ଗ ସମେତ ନିମନ୍ତ୍ରିତ ବନ୍ଧୁମାେନ ଗତ ସୋମବାର ରାତିରୁ ବିବାହ ଉତ୍ସବ ସ୍ଥଳରେ ପହଞ୍ଚି ସାରିଛନ୍ତି । ଗତ ମଙ୍ଗଳବାର ଠାରୁ ବିବାହର ବିଭିନ୍ନ ରୀତିନୀତି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ସେମାନଙ୍କ ସଂଗୀତ ଉତ୍ସବ ସରିଥିବା ବେଳେ ବୁଧବାର ହଳଦୀ ଉତ୍ସବ ସମ୍ପନ୍ନ ହୋଇଛି । କବିର ଖାନ, ମିନି ମାଥୁର, ନେହା ଧୁପିଆ, ଅଙ୍ଗଦ ବେଦୀ, ଗୁରଦାସ ମାନ, ସିମରନ କୌର ପ୍ରମୁଖ ସେଲିବ୍ରିଟି ଏହି ବିବାହ ଉତ୍ସବରେ ସାମିଲ ହୋଇଥିବାର ଜଣାପଡ଼ିଛି। ତେବେ କ୍ୟାଟ୍ରିନାଙ୍କ ମାଆ ସୁଜୈନ ଟର୍କୁଅଟ୍ ଭିକ୍କିଙ୍କ ମାତା-ପିତାଙ୍କୁ ଆସନ୍ତା ବର୍ଷ ଜାନୁଆରିରେ ଲଣ୍ଡନ୍ ଯିବାକୁ ନିମନ୍ତ୍ରିତ କରିଛନ୍ତି। ତେଣୁ ଏହି ନବବିବାହିତ ଦମ୍ପତି ଆସନ୍ତା ବର୍ଷ ଲଣ୍ଡନ୍ ଯିବାର ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି ।