ମଝି ଆକାଶରୁ ନିଖୋଜ ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସିପଡ଼ିଥିବା ଆଶଙ୍କା: ସମୁଦ୍ରରୁ ମିଳିଥିବା ଭଗ୍ନାଂଶ ନିଖୋଜ ବିମାନର ହୋଇପାରେ ବୋଲି କହିଲା ଉଦ୍ଧାରକାରୀ ଦଳ

୬୨ ଯାତ୍ରୀଙ୍କୁ ନେଇ ଜାକର୍ତାରୁ ପୋଂଟିୟାନକ ଗଲା ବେଳେ ଶନିବାର ହୋଇଥିଲା ନିଖୋଜ

336

କନକ ବ୍ୟୁରୋ: ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇ ସମୁଦ୍ରରେ ଖସିପଡ଼ିଥିବା ଆଶଂକା କରାଯାଉଛି । ଉଦ୍ଧାରକାରୀ ଦଳ ସମୁଦ୍ରରୁ କିଛି ଭଗ୍ନାଂଶ ପାଇଛି, ଯାହା ନିଖୋଜ ବିମାନର ବୋଲି ସନ୍ଦେହ କରାଯାଉଛି । ହେଲେ ଏହାକୁ ନିଶ୍ଚିତ ଭାବେ କହିପାରି ନାହିଁ ଇଣ୍ଡୋନେସିଆର ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି । ଇଣ୍ଡୋନେସିଆର ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି ଶନିବାର ନିଖୋଜ ହୋଇଯାଇଥିଲା । ଜାକର୍ତାରୁ ଉଡାଣ ଭରିବାର ମାତ୍ର ୪ମିନିଟ ପରେ ଅର୍ଥାତ୍ ବିମାନ ୧୦ହଜାର ଫୁଟ ଉଚ୍ଚତାକୁ ଛୁଇଁବା ପରେ ଏୟାର ଟ୍ରାଫିକ କଂଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

୫୬ଯାତ୍ରୀଙ୍କ ସହ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ଜାକର୍ତାରୁ ପୋଂଟିୟାନକ ଅଭିମୁଖେ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି ଓ ଦ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି କମିଟି ମିଳିତ ଭାବେ ନିଖୋଜ ବିମାନକୁ ଠାବ କରିବା ପ୍ରୟାସରେ ଲାଗିପଡ଼ିଥିଲେ । ଆଜି ପୁଣି ଥରେ ଖୋଜିବା କାମ ଚାଲିବ ବୋଲି ସୂଚନା ମିଳିଛି । ସେପଟେ ଜାକର୍ତା ବିମାନ ବନ୍ଦରରେ ଯାତ୍ରୀଙ୍କ ସମ୍ପର୍କୀୟ ମାନେ ତଥ୍ୟ ଜାଣିବାକୁ ଜମା ହୋଇଛନ୍ତି ।