କନକ ବ୍ୟୁରୋ :  ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ତେଜିଲାଣି ରାଜନୀତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିବା ସହ କହିଛନ୍ତି, ଯଦି ବାସନ୍ଦ ନ ଉଠିବ ତେବେ ଓଡ଼ିଶା ଭାଗ ଭାଗ ହୋଇଯିବ । ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନରସିଂହଙ୍କ ଏଭଳି ବୟାନ ପରେ ମୁହଁ ଖୋଲିଛନ୍ତି ଅଭିନେତା ଶ୍ରୀତମ ଦାସ ।

Advertisment

ଶ୍ରୀତମ କହିଛନ୍ତି, ମନୋଜ ପଶ୍ଚିମ ଓଡିଶାରୁ ଆସି ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି । ସେମାନେ ସମସ୍ତେ ଓଡିଶାର ସୁପୁତ୍ର ।  ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି ।  ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ ପୁଣି ଆମେ ମିଳିମିଶି କାମ କରିବୁ ।  ଏହାକୁ ନେଇ ରାଜନୀତି ହେବା କଥା ନୁହେଁ । ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୁରାନ୍ତୁ ନାହିଁ, କାରଣ ଆମ ପରିବାର କଥା ଆମେ ଆପୋଷ ଭାବେ ସମାଧାନ କରିବୁ ।  ଆମେମାନେ ବସି ସମାଧାନ କରିବୁ ବୋଲି କହିଛନ୍ତି ଶ୍ରୀତମ ।

ସେହିଭଳି ନରସିଂହଙ୍କ ବୟାନକୁ ନେଇ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ନରସିଂହଙ୍କ ତୁଣ୍ଡରୁ ଏଭଳି କଥା ଭଲ ଶୁଭିଲାନି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା । ପଶ୍ଚିମ ଓଡ଼ିଶାର ବହୁ କଳାକାର ଏଠି କାମ କରିଛନ୍ତି । ରାଜ୍ୟ ପାଇଁ ବହୁ ସମ୍ମାନ ଆଣିଛନ୍ତି । ସମସ୍ୟା ହୋଇଛି, ଘର ଭିତରେ ହିଁ ଏହାର ସମାଧାନ ହେବ ।