କନକ ବ୍ୟୁରୋ: ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥାଏ, ଖରାଦିନେ ଜଳକଷ୍ଟ ଅନୁଭବ ହୁଏ । ପୋଖରୀ ଗାଡିଆ ଶୁଖିଯିବାରୁ ଭୂତଳ ଜଳସ୍ତର କମିଯାଏ । ଉପାନ୍ତ ପାହାଡିଆ ଗାଁରେ ଜଳଯନ୍ତ୍ରଣା ଭୋଗିବାକୁ ପଡେ । ହେଲେ ବର୍ତମାନର ସ୍ଥିତି ଦେଖିଲେ, ଆପଣଙ୍କ ସେ ଧାରଣା ଦୂରେଇ ଯିବ । ନଳକୂପରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନହେବାରୁ ପୋଖରୀ ପାଣି ପିଇ ରୋଗରେ ପଡୁଛନ୍ତି ଉପକୂଳ ଗ୍ରାମବାସୀ । ପାଣି ଯୋଗୁଁ ହଇଜାରେ ରୋଗୀ ମୃତ୍ୟୁ ଖବର ଏଇ ନିକଟରେ ରାଉରକେଲା, କୋରାପୁଟ ଜିଲ୍ଲାରୁ ଆସିଥିଲା । ଆଉ ଏବେ ଆସିଛି ପୁରୀ ଜିଲ୍ଲା କଣାସ ଅଂଚଳରୁ । କଣାସ ବ୍ଲକର ଖଣ୍ଡହତା ଗାଁରେ ଲୋକମାନେ ଗାଁ ପୋଖରୀରୁ ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି । ଯେଉଁଠି ପୁରା ଗାଁର ଗାଇଗୋର ଧୂଆ ହୁଅନ୍ତି, ଗାଁ ଲୋକମଧ୍ୟ ସେଇଠି ଗାଧୁଆପାଧୁଆ ସହ ବାସନ କୁସନ ମାଜନ୍ତି । କେହି କେହି ବାଧ୍ୟ ହୋଇ ସେ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର ମଧ୍ୟ କରିଥାନ୍ତି । ଯାହାର ପରିଣାମ ଏବେ ଭୋଗିବାକୁ ପଡୁଛି ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ । ପୋଖରୀ ପାଣି ବ୍ୟବହାର ଯୋଗୁଁ ଗାଁରେ ହଇଜା ରୋଗ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ।

Advertisment

ସେପଟେ ଶୀତ ଦିନେ ବି ଲୋକମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସଂଗ୍ରହ କରିବା ପାଇଁ ଗୋଟିଏ ନଳକୂପ ପାଖରେ ଭିଡ ଲଗାଉଛନ୍ତି । ହେଲେ ସେହି ନଳକୂପରୁ ବାହାରୁଛି ଗୋଳିଆ ପାଣି । ଯାହାକୁ ଦେଖିଲେ, ସ୍ପଷ୍ଟ ଭାବେ ଜଣାପଡୁଛି, ଏହା ବ୍ୟବହାର ଉପଯୋଗୀ ନୁହେଁ । ତଥାପି ସେହି ପାଣିକୁ ବୋହି ନେବା ପାଇଁ ମହିଳାଙ୍କ ଭିଡ ଲାଗୁଛି । ଶୀତ ଦିନେ ଜଳଯନ୍ତ୍ରଣା ଭୋଗୁଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲକ୍ଷ୍ମୀପୁର କଲୋନୀ ବାସିନ୍ଦା । ଗାଁରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏହି କଲୋନୀରେ ୮୦ ପରିବାର ଗୋଳିଆ ପାଣିକୁ ବ୍ୟବହାର କରୁଛନ୍ତି । ୪ ଶହ ଲୋକ ଜଳକଷ୍ଟ ଭୋଗୁଥିବା ବେଳେ ସମାଧାନ ହୋଇପାରୁନାହିଁ ।

ରାୟଗଡ ବ୍ଲକର ଲକ୍ଷ୍ମୀପୁରରେ ମଧ୍ୟ ତଦ୍ରୁପ ଅବସ୍ଥା ୨୦୧୨ ମସିହାରୁ ଗାଁରେ ଏକ ନଳକୂପ ଖୋଳି ମଟର ଯୋଗେ ପାଣି ଉଠାଇ ଟ୍ୟାପ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା । ମାତ୍ର କିଛି ଦିନ ଜଳ ଯୋଗାଣ ପରେ ତାହା ଅଚଳ ହୋଇଯିବାରୁ ପାଣି ପାଇଁ ମହିଳାଙ୍କ ସଂଘର୍ଷ କରିବାକୁ ପଡୁଛି । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଗାଁରେ ଥିବା ଜଳ ସମସ୍ୟାର ସମାଧାନ ହେଉନାହିଁ । ଲୋକମାନେ ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଜଳ ସମସ୍ୟାର ସମାଧାନ କରାନଗଲେ, ଲୋକେ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।