କନକ ବ୍ୟୁରୋ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା । ସିଂହଦ୍ୱାର ଥାନାରେ ଏନେଇ ଏତଲା ଦାୟର କରାଯାଇଛି । ଯେଉଁଥିରେ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି ସୁରକ୍ଷା ପ୍ରଶାସକ ।

Advertisment

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଫେସବୁକ୍ ପେଜରେ ଏହାକୁ ଭାଇରାଲ କରିଛନ୍ତି ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି । ଗର୍ଭଗୃହର ଫଟୋ  ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକ୍ ପେଜରେ ଅପଲୋଡ କରିଛନ୍ତି ଆକାଶ । ଗୁପ୍ତ କ୍ୟାମେରା କିମ୍ବା ମୋବାଇଲ୍ରେ ଭିଡିଓ ସୁଟିଂ କରାଯାଇଥିବା ଅନୁମାନ କରାଯାଉଛି ।

ଆକାଶ ଚୌଧୁରୀଙ୍କ ଫେସବୁକ୍ ପେଜ୍ ବଙ୍ଗଳା ଭାଷାରେ ଲେଖାଯାଇଛି । ତେଣୁ ସେ ପଶ୍ଚିମବଙ୍ଗ ନିବାସୀ ବୋଲି ସନ୍ଦେହ କରାଯାଉଛି । ଆକାଶ ଜଣେ ୟୁ-ଟ୍ୟୁବର ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଭାଇରାଲ ହୋଇଥିଲା । ତେବେ ଗର୍ଭଗୃହ ମଧ୍ୟରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହାକୁ ନେଇ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇଛି । ତେବେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ । ହେଲେ ଏତେ କଟକଣା, ସିସିଟିଭି କ୍ୟାମେରା ଓ ଯାଞ୍ଚ ପରେ ବି କିପରି ଜଣେ ଫଟୋ ଉଠାଇଲା, ଭିଡିଓ ସୁଟିଂ କରିପାରିଲା, ଏ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲାଗିଛି ।