ଜଗା ଟଙ୍କା ପାଇଁ ବିଧାନସଭା ହୁଲସ୍ତୁଲ । ଆରୋପ ପ୍ରତ୍ୟାରୋପ ଭିତରେ ସରକାରଙ୍କୁ ଘେରିଲେ ବିରୋଧୀ । ସାଆନ୍ତେଙ୍କ ଟଙ୍କାର ସୁରକ୍ଷା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ୪ ବିଜେଡି ସାଂସଦ

94

କନକ ବ୍ୟୁରୋ: ବୁଡିଗଲା କି ଜଗନ୍ନାଥଙ୍କ ଟଙ୍କା? କେବେ ଫେରିବ ଜଗାର ଟଙ୍କା ? ‘କମିଶନ ଟଙ୍କାରେ କିଏ ଯାଇଛି ସ୍ୱିଜରଲ୍ୟାଣ୍ଡ’? ବୁଧବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରେ ଦିବଙ୍ଗତ ନେତାଙ୍କୁ ଶୋକପ୍ରସ୍ତାବ ପରେ ଗୃହର ମଧ୍ୟଭାଗକୁ ଚାଲିଆସି ନାରାବାଜି ଆରମ୍ଭ କରିଦେଲେ କଂଗ୍ରେସ ନେତା ଆଉ ଉଠାଇଥିଲେ ଏମିତି କିଛି କଥା । କାହିଁକି ବେସରକାରୀ ବ୍ୟାଙ୍କରେ ଟଙ୍କା ରଖାଗଲା, ଟଙ୍କା ଫେରିବ କି ନାହିଁ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଏଭଳି ଦାବି କରି ବିରୋଧୀ ହଙ୍ଗାମା ଆରମ୍ଭ କରିଦେଲେ । ପରିସ୍ଥିତି ଏପରି ହେଲା ଯେ ବାରମ୍ବାର ବିଧାନସଭାକୁ ମୁଲତବି କରିବାକୁ ପଡିଲା ।

ହଙ୍ଗାମା ଭିତରେ କିଏ କାହା ସହିତ ମିଶିଛି, ତାକୁ ନେଇ ଆରମ୍ଭ ହୋଇଯାଇଥିଲା ଆରୋପ ପ୍ରତ୍ୟାରୋପ । କଂଗ୍ରସ କହୁଥିଲା , ବିଜେପି ଓ ବିଜେଡି ମିଶି ଏହି ପ୍ରସଙ୍ଗକୁ ହାଲକା କରିବାକୁ ଚେଷ୍ଟା କରୁଛନ୍ତି । ଏପରି କି ବିଜେପି କହୁଥିଲା, କଂଗ୍ରେସ ଓ ବିଜେଡି ମିଶି ଆଲୋଚନା ନକରିବା ପାଇଁ ବାତାବରଣ ସୃଷ୍ଟି କରୁଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ବିଧାନସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହେଲେ ନିଷ୍କର୍ଷ ବାହାରିବ ନା ବନ୍ଦ ହେଲେ ବାହାରିବ । ଏହାରି ଭିତରେ ଚାଲିଛି ବିଜେପି ଓ କଂଗ୍ରସର ପରସ୍ପର ପ୍ରତି ଆକ୍ଷେପ ପ୍ରତିଆକ୍ଷେପ ପର୍ବ ଆଉ ୟେସ ବ୍ୟାଙ୍କରେ ଫସି ରହିଛି ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ।