ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏ ନୋ ପାର୍କିଂ ଜୋନ୍: ଭିକ୍ଷାବୃତ୍ତି କରିପାରିବେନି କୌଣସି ବି ଭିକାରୀ

Advertisment
ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା । ଗାଡି ପାର୍କିଂ ପାଇଁ ପ୍ରସ୍ତୁତ ହେଲା ୨ଦିନିଆ ରୁଟ୍ ଚାର୍ଟ । ୩୧ ଓ ୧ରେ ପୁରୀକୁ ବଡଗାଡି ମନା । ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ଉପରେ ଲାଗିଲା କଟକଣା

କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରିପଟେ ବଢୁଥିବା ଟ୍ରାଫିକ ସମସ୍ୟା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏକ ବଡ ପଦକ୍ଷେପ ହାତକୁ ନେଇଛି। ସିଂହଦ୍ବାର ପର୍ଯ୍ୟନ୍ତ ଭକ୍ତଙ୍କ ସ୍ବଚ୍ଛନ୍ଦ ଚଳପ୍ରଚଳ ପାଇଁ ଗତକାଲିଠାରୁ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ବଡଦାଣ୍ଡର ଗ୍ରାଣ୍ଡ ସେଣ୍ଟର ନିକଟରେ ବ୍ୟାରିକେଡ୍ ପକାଯାଇଛି। ଏଣୁ ଏଣିକି ଆଉ କୌଣସି ଗାଡ଼ି ସିଂହଦ୍ବାର ପାଖକୁ ଯାଇପାରିବନି। ବାଇକ୍ ଯିବା ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗାରେ ବ୍ୟାରିକେଡ୍ କରାଯାଇଛି। ଶ୍ରୀମନ୍ଦିର ଓ ଏହାର ଚାରିପାଖକୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଗତକାଲି ସକାଳ ୬ଟାରୁ ଲାଗୁ ହୋଇଛି ଏହି କଟକଣା।

ବଡ଼ଦାଣ୍ଡରେ ଦୋଳବେଦୀ କୋଣ ରାସ୍ତାରୁ ଗ୍ରାଣ୍ଡ ସେଣ୍ଟର ପର୍ଯ୍ୟନ୍ତ ରାସ୍ତାରେ ବ୍ୟାରିକେଡ୍ ପକାଯାଇଛି। କଟକଣା ମୁତାବକ, ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଏଇଠାରୁ ଚାଲିଚାଲି ଯିବାକୁ ହେବ। ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗଙ୍କ ପାଇଁ ଏଠାରେ ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ମୁକ୍ତ ଜୋନରେ ଅର୍ଥାତ ସିଂହଦ୍ବାର ପର୍ଯ୍ୟନ୍ତ ଆଉ କେହି ଉଠା ଦୋକାନୀ ବସି ପାରିବେନାହିଁ। କୌଣସି ଭିକାରି ମଧ୍ୟ ଏଠାରେ ଭିକ୍ଷାବୃତ୍ତି କରିପାରିବେ ନାହିଁ। ମୁକ୍ତ ଜୋନ୍ ଅଞ୍ଚଳର ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପାଇଁ ଫୁଲ କୁଣ୍ଡ ରଖାଯିବ। ସେହିଭଳି ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ସ୍ଥାୟୀ ଦୋକାନୀମାନେ ମଧ୍ୟ ଦୋକାନ ସମ୍ମୁଖରେ କୌଣସି ଜରି ପାଲ ଟାଣି ପାରିବେ ନାହିଁ। ଏଭଳି କଟକଣାକୁ ନେଇ ପୁରୀରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ବାଇକ୍ ଯିବାକୁ ଯେତିକି ଜାଗା ଦିଆଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କିଛି ମତ ରଖିଥିବା ବେଳେ ଆଉ କିଛି ବ୍ୟବସାୟୀଙ୍କୁ ଥଇଥାନ ନକରି ଏଭଳି ମୁକ୍ତ ଅଞ୍ଚଳ ଓ କଟକଣାକୁ ସମାଲୋଚନା କରିଛନ୍ତି। ତେବେ ପୁରୀକୁ ଆସୁଥିବା ଭକ୍ତ ଓ ବୁଦ୍ଧିଜୀବୀ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ସେହିପରି ଏହି ଅଞ୍ଚଳରେ ଥିବା ସପିଂ ମଲଗୁଡ଼ିକ ନିଜସ୍ବ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ ନ କଲେ ସେମାନଙ୍କ ବ୍ୟାବସାୟିକ ପ୍ରତିଷ୍ଠାନକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଚାରିକଡ଼ରେ ଥିବା ସାହିବାସିନ୍ଦାମାନଙ୍କ ଶୃଙ୍ଖଳିତ ଗମନାଗମନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଗଲାବେଳେ ବଡ଼ଦାଣ୍ଡର ବାମପାର୍ଶ୍ବରେ ୨୫ ଫୁଟ୍ ଚଉଡ଼ାର ରାସ୍ତା ଛାଡ଼ି ଦିଆଯାଇଛି। ଆଗାମୀ ଦିନରେ ଫେରିବା ବାଟ ପରବର୍ତ୍ତନ ହେବ। ଏମାର ମଠ ଭିତରୁ ଏକ ରାସ୍ତା ସୃଷ୍ଟି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe