ବିଧାନସଭାରେ ଅଚଳାବସ୍ଥା ଜାରି । ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

24

କନକ ବ୍ୟୁରୋ: ଆଜି ବି ବିଧାନସଭାରେ ଶ୍ରୀମନ୍ଦିର ବିଶୃଙ୍ଖଳା ତାତି ଜାରି ରହିଛି । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକୁ ବାରମ୍ବାର ମୂଲତବୀ କରିଛନ୍ତି ବାଚସ୍ପତି । ଗୃହରେ ଅଚଳାବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ଗତକାଲିଠୁ ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳକୁ ଡାକିବାକୁ ଦାବି କରାଯାଇଥିଲା । କିନ୍ତୁ ତାହା କରାଗଲାନି । ପ୍ରଶାସନ ନିଷ୍ପତି ନେବାରେ ଅକ୍ଷମ । ସରକାରଙ୍କ ମୁଣ୍ଡ କାମ କରୁନି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ସେପଟେ ଜଗନ୍ନାଥ ଓଡିଆଙ୍କ ଆରାଧ୍ୟ ଦେବତା । ଜଗନ୍ନାଥଙ୍କୁ ନେଇ ରାଜନୀତି କରାନଯାଉ ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି । ଗୃହରେ ଅଚଳାବସ୍ଥା ଲାଗିରହିଥିବାରୁ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ସରକାର ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଦିନ ୪ଟା ଯାଏ ଗୃହ ମୂଲତବୀ ରଖାଯାଇଛି ।

ଅନ୍ୟପଟେ, ଦୁଇ ଦିନର ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇଥିବା ବେଳେ ପ୍ରଶାସନ ଓ ସେବାୟତ ଭିତରେ ବିବାଦ ଜାରି ରହିଛି । ଆଜି ଅକ୍ଷୟ ତୃତୀୟା ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ସକାଳଧୂପ ପରେ ମହାପ୍ରଭୁଙ୍କ ନିକଟରେ ହୋଇଥିବା କୋଠଭୋଗ ମହାପ୍ରସାଦକୁ ଭକ୍ତଙ୍କୁ ବଂଟାଯାଇଛି । ସିଂହଦ୍ୱାର ଆଗରେ ଭକ୍ତଙ୍କୁ ମାଗଣାରେ ଏହି ମହାପ୍ରସାଦ ବଂଟାଯାଇଛି । ହେଲେ ଆଜି ବି ମହାପ୍ରସାଦ ପାଇପାରିବେନି ଭ୍କ୍ତ । ନଷ୍ଟ ଅମୁଣିଆ ମହାପ୍ରସାଦ କ୍ଷତିପୂରଣ ଦାବିରେ ସୁଆର ମହାସୁଆର ନିଯୋଗ ଅଡି ବସିଥିବା ବେଳେ ଭକ୍ତଙ୍କୁ ବରାଦି ମହାପ୍ରସାଦ ମିଳିବନି । କ୍ରମାଗତ ୩ଦିନ ଧରି ଭକ୍ତଙ୍କୁ ମହାପ୍ରସାଦ ମିଳିନାହିଁ ।

ଗତକାଲି ରାତିରେ ଗଜପତିଙ୍କ ଅଧ ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ଏଥିରେ ନୀତି ଶୃଙ୍ଖଳିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ନୀତି ଶୃଙ୍ଖଳିତ ହେଲେ ଅବଢା କାଢିବାକୁ ସୁଆର-ମହାସୁଆର ସେବାୟତ ରାଜି ହୋଇଥିଲେ । ମହାପ୍ରସାଦ ପ୍ରସ୍ତୁତ ପାଇଁ ସୁଆର-ମହାସୁଆର ସେବାୟତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କିନ୍ତୁ ଅନୁରୋଧ ପରେ ବି ସୁଆର ମହାସୁଆର ମାନେ ରୋଷ ଘରେ ପଶିବେନି କି ମହାପ୍ରସାଦ ତିଆରି କରିବେନି ବୋଲି ନିଜ ଜିଦରେ ଅଡିବସିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ଦିନ ଉପବାସରେ ରହିଥିଲେ ଠାକୁର ।