ଆୟତ୍ତ ବାହାରକୁ ଯାଉଛି ଶ୍ରୀମନ୍ଦିର : ସାତ ପାହାଚରେ ଦଳାଚକଟା ପରିସ୍ଥିତି, ପ୍ରବଳ ଭିଡ଼ ଯୋଗୁଁ ହବିଷ୍ୟାଳିଙ୍କୁ ଠେଲାପେଲା, ମହାପ୍ରଭୁଙ୍କ ଦର୍ଶନ ନ ପାଇ କାନ୍ଦିଲେ ଭକ୍ତ

45

କନକ ବ୍ୟୁରୋ: ସାତ ପାହାଚରେ ଦଳାଚକଟା ପରିସ୍ଥିତି । ପ୍ରବଳ ଭିଡ଼ ଯୋଗୁଁ ହବିଷ୍ୟାଳିଙ୍କୁ ଠେଲାପେଲା କରାଯାଇଛି। ଏଥିରେ କିଛି ହବିଷ୍ୟାଳି ଆହତ ହୋଇଥିବାବେଳେ ଆଉ କେତେକ ଅଚେତ ହୋଇ ପଡ଼ିଥିବାର ଦେଖାଯାଇଥିଲା। ତେବେ ଆହତ ହବିଷ୍ୟାଳିଙ୍କ ପରିଚୟ ମିଳି ପାରି ନାହିଁ। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ହବିଷ୍ୟାଳିଙ୍କ ପାଇଁ ଧାଡ଼ି ଦର୍ଶନକୁ ବନ୍ଦ କରି ପ୍ରବେଶ ପାଇଁ ଚାରିଦ୍ବାର ଖୋଲା ରଖାଯାଇଛି। କିନ୍ତୁ ହବିଷ୍ୟାଳିମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ କୌଣସି ବ୍ୟବସ୍ଥା କରାଯାଇନି। ଧାଡ଼ି ଦର୍ଶନ ସାତ ପାହାଚରେ ନ ଥିବାରୁ ହବିଷ୍ୟାଳିମାନେ ଠେଲାପେଲା ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତି ଉପୁଜିବା ଫଳରେ ଅନେକ ଭକ୍ତ ଖଣ୍ଡିଆଖାବରା ବି ହୋଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ନ ପାଇ କିଛି ହବିଷ୍ୟାଳି କାନ୍ଦୁଥିବାର ନଜର ଆସିଥିଲା ।

କାର୍ତ୍ତିକ ଆରମ୍ଭ ହେବାର ମାତ୍ର ଦୁଇଦିନ ଭିତରେ ଯେଉଁଠି ଏଭଳି ଅବସ୍ଥା, ଆଗକୁ ଏହା ଆହୁରି ଅସମ୍ଭାଳ ହେବା ଆଶଙ୍କା ଦେଖାଦେଇଛି। ଏହା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତିରେ ଥିବା ଅବହେଳାକୁ ପଦାରେ ପକାଇଛି।ଅନ୍ୟପକ୍ଷରେ ହବିଷ୍ୟାଳିମାନଙ୍କର ରହିବା ବ୍ୟବସ୍ଥାକୁ ନେଇ ମଧ୍ୟ କେତେକ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଳବାଇ ଯାତ୍ରୀ ନିବାସରେ ସର୍ବାଧିକ ହବିଷ୍ୟାଳି ରହିଥିବାବେଳେ ଏମାନଙ୍କୁ କଷ୍ଟରେ ରାତିରେ ଶୋଇବାକୁ ପଡ଼ିଛି। ଧାର‌୍ୟ୍ୟ ସଂଖ୍ୟାଠାରୁ ଅଧିକ ହବିଷ୍ୟାଳି ଦର୍ଶାଇ ଶୀତ କାକରରେ ଏମାନଙ୍କୁ ଛାଡ଼ି ଦିଆଯାଇଛି। ଘର ଭିତରେ ରଖାନଯାଇ ଖୋଲା ଛାତ ଉପରେ ପାଲ ଟାଣି ଏମାନଙ୍କୁ ରହିବାକୁ ଦିଆଯାଇଛି। ଶୌଚ ପାଇଁ ସେମାନଙ୍କୁ ୨୫ ପାହାଚ ତଳକୁ ଓହ୍ଲାଇ ଯିବାକୁ ପଡ଼ୁଛି।

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉତ୍ପାତ

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ବିପଦ ମନ୍ଦିର ପ୍ରଶାସନକୁ ଅଡୁଆରେ ପକାଇଛି। ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଆଶଙ୍କା ଉପୁଜିଛି। ମୂଷାମାନେ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ରରେ କ୍ଷତି ପହଞ୍ଚାଇବା ସହିତ ବଡ଼ସିଂହାର ବେଶରେ ବ୍ୟବହୃତ ଫୁଲ ସବୁ କାଟି ଟୁକୁରା କରି ପକାଉଛନ୍ତି। ଗର୍ଭଗୃହରେ ମୂଷାଙ୍କ ଏଭଳି ପାଦୃର୍ଭାବକୁ ନେଇ ପ୍ରଶାସନ ପକ୍ଷରୁ ମୂଷା ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଗତ ଦୁଇ ମାସ ହେବ ସମସ୍ୟା ଅଧିକ ଜଟିଳ ହେବାରୁ ପ୍ରଶାସନ ଏବେ ମୂଷାକୁ କାବୁ କରିବାକୁ ଯୋଜନା କରିଛି। ଗତ କିଛି ଦିନ ହେବ ଛୋଟ ଯନ୍ତା ପକାଇ ମୂଷାକୁ ଧରିବାରେ ପ୍ରଶାସନ ବିଫଳ ହେବା ପରେ ବ୍ରହ୍ମପୁରରୁ ଏକ ବରାଦି ଯନ୍ତା ମଗାଇ ଗର୍ଭଗୃହରେ ବସାଯାଇଛି। ଗତ କିଛି ଦିନ ହେବ କିଛି ମୂଷା ଯନ୍ତାରେ ଧରାଦେଇଛନ୍ତି।

ବୁଧବାର ରାତିରେ ବଡ଼ ଯନ୍ତାରେ ୩ଟି ବଡ଼ ମୂଷା ଧରାପଡିଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ବିପଦ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗର୍ଭଗୃହରେ ମୂଷା ବଂଶ ବଢିବା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ସେବକ। ଦୁଇ ମାସ ହେବ ହେବ ମହାପ୍ରଭୁଙ୍କ ବନକ ଲାଗି ଠିକ୍ ଭାବେ େହଉନଥିବାରୁ ଏଭଳି ସମସ୍ୟା ଉପୁଜିଛି। ବନକଲାଗି ଠିକ୍ ଭାବେ ନ ହେଲେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ ଆହୁରି ବଢିବ ବୋଲି ସଂଜୟ ଦତ୍ତ ମହାପାତ୍ର ନାମକ ଜଣେ ସେବକ ମତ ରଖିଛନ୍ତି।