ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର : ଅପରାହ୍ନ ୨ଟା ପରେ ପ୍ରବେଶ କରିବେ ୧୭ ଜଣିଆ ସ୍ୱତନ୍ତ୍ର ଦଳ, ପ୍ରସ୍ତୁତ ରହିବ ଓସଡମା, ଅଗ୍ନିଶମ ଓ ସ୍ନେକ୍ ହେଲ୍ପଲାଇନ

82

କନକ ବ୍ୟୁରୋ : ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅପରାହ୍ନ ପ୍ରାୟ ୨ଟାରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ଆଜିି ରତ୍ନଭଣ୍ଡାର ଖୋଲିଲେ କଣ ହେବ ? ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲିବାକୁ ଚାହିଁ ରହିଛି ସାରା ଓଡିଶା । ଯଦିଓ ମହାପ୍ରଭୁଙ୍କ ରତ୍ନ, ଆଭୁଷଣର କୌଣସି ଆକଳନ କରାଯିବ ନାହିଁ । କେବଳ ସ୍ଥିତି ଯାଂଚ ପାଇଁ ଭିତରକୁ ଯିବ ସ୍ୱତନ୍ତ୍ର କମିଟି । ତଥାପି ସମସ୍ତଙ୍କ ଭିତରେ ପ୍ରବଳ ଉକ୍ରଣ୍ଠା । ଆଜି ଅପରାହ୍ନ ପ୍ରାୟ ୨ଟାରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ଆଉ ଏହାରି ଭିତରେ ରତ୍ନଭଣ୍ଡାର ଖୋଲିଲେ କଣ ହେବ ତାକୁ ଚାହିଁ ରହିଛନ୍ତି ଜଗନ୍ନାଥ ପ୍ରେମୀ । କାରଣ ଏହାକୁ ନେଇ ରହିଛି ଅନେକ କଥା, କାହାଣୀ ।

ratna bhandar

ଖବର ଅନୁସାରେ ଅପରାହ୍ନ ପ୍ରାୟ ୨ଟା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମନ୍ଦିରକୁ ଶୋଧ କରି ରତ୍ନଭଣ୍ଡାରକୁ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ । ଏହାର ୧ଘଂଟା ପୂର୍ବରୁ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ବା ସତ୍ୱଲିପି ଅନୁସାରେ କେଉଁମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଯିବେ ସେନେଇ ତାଲିକା ଚୂଡାନ୍ତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ରତ୍ନଭଣ୍ଡାରକୁ ପ୍ରବେଶ କରିବେ । ସେହିପରି ପୁରୀ ଏସପି, ଜିଲ୍ଲାପାଳ ଓ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଏନକେ ମହାନ୍ତମଧ୍ୟ ଭଣ୍ଡର ଗୃହକୁ ଯିବେ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ-ଏଏସଆଇର ୨ଜଣ ବିଶେଷଜ୍ଞ ଏଚଏ ନାୟକ ଓ ଚିତରଞ୍ଜନ ଦାଶ ଯିବେ । କୋର କମିଟିର ୨ଜଣ ସଦସ୍ୟ ଜିସି ମିତ୍ର ଓ ଏନସି ପାଲ ରତ୍ନଭଣ୍ଡାରରେ ପ୍ରବେଶ କରିବେ । ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ, ଭଣ୍ଡାର ମେକାପ ଗଣେଶ ମେକାପ, ଦେଉଳିକରଣ ଚନ୍ଦ୍ରଶେଖର ମଙ୍ଗରାଜ, ତଢାଉକରଣ ହିମାଂଶୁ ପଟ୍ଟନାୟକ, ଗଜପତି ମହାରାଜଙ୍କ ପ୍ରତିନିଧି ଅମୀୟ ମହାନ୍ତିଙ୍କ ସହ ରତ୍ନଭଣ୍ଡାର ସବକମିଟିର ୨ଜଣ ସଦସ୍ୟ ମଧ୍ୟ ରତ୍ନଭଣ୍ଡାରକୁ ଯିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ।

ରତ୍ନଭଣ୍ଡାର ଭିତରକୁ ଯାଉଥିବା ଯାଂଚ କମିଟି ସଦସ୍ୟ କେବଳ ଗାମୁଛା ପିନ୍ଧିବେ । ଯାହାକୁ ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ । ସେହିପରି ସଦସ୍ୟମାନେ କେବଳ ଚଷମା ବ୍ୟବହାର କରିପାରିବେ । କୌଣସି ବୈଦୁତିକ କିମ୍ବା ଧାତବ ଉପକରଣ ସାଙ୍ଗରେ ନେଇପାରିବେ ନାହିଁ । ଏପରିକି ପିନ୍ଧିଥିବା ଚେନ୍ କିମ୍ବା ମୁଦି ମଧ୍ୟ ଖୋଲି ରଖାଯିବ । ଅନ୍ଧାରୁଆ ଭଣ୍ଡାର ଘରେ ସ୍ଥିତି ଅନୁଧ୍ୟାନ ପାଇଁ ସର୍ଚ୍ଚ ଲାଇଟ ବ୍ୟବହାର କରିବେ ସ୍ୱତନ୍ତ୍ର ଯାଂଚ କମିଟି । ମିଳିଥିବା ସୂଚନା ଅନୁସାରେ ଖଣି ଅଂଚଳରେ ଶ୍ରମିକମାନେ ବ୍ୟବହାର କରୁଥିବା ଏଲଇଡି ଲାଇଟ ମୁଣ୍ଡରେ ପିନ୍ଧି ରତ୍ମଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ କମିଟି ସଦସ୍ୟ ।

Ratna bhandar

ଶ୍ରୀଜୀଉଙ୍କ ରତ୍ନଭଣ୍ଡାରକୁ ନେଇ କୋଟିକୋଟି ଓଡିଆଙ୍କ ଭାବାବେଗ ଜଡିତ ଥିବାରୁ ସୁରକ୍ଷା ଓ ଯାଂଚ ପ୍ରକ୍ରିୟାରେ ସଂପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରିବାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଯାଂଚ କମିଟି ସଦସ୍ୟଙ୍କୁ ଦୁଇଟି ପର୍ଯ୍ୟାୟରେ ଯାଂଚ କରାଯିବ । ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ପୁଲିସ କର୍ମଚାରୀ କମିଟି ସଦସ୍ୟମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଯାଂଚ କରିବେ । ଏହାପରେ ସମସ୍ତେ ଶ୍ରୀମନ୍ଦିର ପ୍ରଶାସନଠାରୁ ଗାମୁଛା ନେଇ ପିନ୍ଧିବା ପରେ ବେହେରଣ ଦ୍ୱାର ନିକଟରେ ପହଂଚିବେ । ସେଠାରେ ପୁଣିଥରେ ସମସ୍ତଙ୍କୁ ଯାଂଚ କରିବା ପାଇଁ ସ୍ଥିର ହୋଇଛି । କମିଟି ସଦସ୍ୟ ଯାଂଚ ପ୍ରକ୍ରିୟା ଶେଷ କରି ଜଗମୋହନ ଦେଇ ବେହରଣ ଦ୍ୱାରରେ ବାହାରିବେ । ବାହାରକୁ ବାହାରିବା ପରେ ସମସ୍ତଙ୍କୁ ପୁଣିଥରେ ଯାଂଚ କରାଯିବ । ଏଥିସହ ପୁରା ଯାଂଚ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ସମସ୍ତଙ୍କ ସ୍ୱାକ୍ଷର ଥାଇ ଏକ ବିବରଣୀ ସହିତ ଭିଡିଓଗ୍ରାଫ କ୍ୟାସେଟକୁ ସିଲ କରାଯିବ । ରତ୍ନଭଣ୍ଡାର ଯାଂଚ ସମୟରେ ଶ୍ରୀମନ୍ଦିରକୁ ଖାଲି କରାଯିବ । ଅର୍ଥାତ ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ । ମନ୍ଦିର ବାହାରେ ୨ ପ୍ଲାଟୁନ ଓ ମନ୍ଦିର ଭିତରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ପୋଲିସ ଓ ମାଜିଷ୍ଟ୍ରେଟ ଅର୍ଥାତ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ଭିତରେ ଓ ବାହାରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରିବେ । ବେହରଣ ଓ ଜୟବିଜୟ ଦ୍ୱାରରେ ରହି କେବଳ ପ୍ରାଧିକୃତ ବ୍ୟକ୍ତିଙ୍କୁ ଜଗମୋହନ ଭିତରକୁ ଛାଡିବେ । ସେପଟେ ରତ୍ନଭଣ୍ଡାରକୁ ନେଇ ଆଉ ଏକ ବଡ ରହସ୍ୟ ହେଉଛି, ଏନେଇ ରହିଥିବା ଲୋକକଥା । କୁହାଯାଏ, ରତ୍ନଭଣ୍ଡାରକୁ ଜଗି ରହିଛନ୍ତି ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା । ଏହି ଲୋକକଥା ଅନୁସାରେ ଏହି କାରଣରୁ ଏଯାଏଁ ସୁରକ୍ଷିତ ରହିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏଥିରେ ସାପ ଅଛନ୍ତି କି ନାହିଁ, ସେନେଇ କୌତୁହଳ ଲାଗି ରହିଛି ।