ଆଧ୍ୟାତ୍ମିକ ପରିବେଶରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ପ୍ରକଳ୍ପର ମଡେଲକୁ ଅନାବରଣ କଲେ ମୁଖ୍ୟମନ୍ତ୍ରୀ, ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଲେ ଗଜପତି ।

164

କନକ ବ୍ୟୁରୋ : ପୁରୀ ପାଇବ ନୂଆ ରୂପ । ପ୍ରାୟ ୮ ଶହ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଡେଲର ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିସିସି ସଭାପତି, ପୁରୀ ବିଧାୟକ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସାଥୀରେ ନେଇ ନବୀନ ସନ୍ଦେଶ ଦେଇଛନ୍ତି, ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଓଡ଼ିଶାବାସୀଙ୍କ ହୃଦୟର ପ୍ରସଙ୍ଗ ।

ପଣ୍ଡିତଙ୍କ ବେଦପାଠ, ସଙ୍କୀର୍ତନ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଶ୍ରୀକ୍ଷେତ୍ର, ଚାଲିଥିଲା ଯଜ୍ଞ । ଆଉ ଏହି ଦିବ୍ୟ ପରିବେଶରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ ଗଜପତି ।

ସକାଳୁ ସକାଳୁ ସୂର୍ଯ୍ୟପୂଜା, ଅଗ୍ନିପୂଜା ଓ ଯଜ୍ଞବିଧି ଶେଷ ପରେ ପୂର୍ଣ୍ଣାହୂତି ଦେଇଥିଲେ ଗଜପତି । ଯଜ୍ଞର ପୂର୍ଣ୍ଣାହୁତି ପରେ ପ୍ରକଳ୍ପର ମଡେଲକୁ ଅନାବରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଆଜି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ । ସାରା ବିଶ୍ୱରେ ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ ।

ଶିଳାନ୍ୟାସ ଓ ଯଜ୍ଞର ପୂର୍ଣ୍ଣାହୁତି ସହ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥଧାମ ପୁରୀକୁ ବିଶ୍ୱର ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ନିଆଯାଉଥିବା ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଐତିହ୍ୟ କରିଡର ନିର୍ମାଣ ହେଲେ ସବୁଜବଳୟ ଭିତରେ ରହିବ ଶ୍ରୀଜଗନ୍ନାଥ ମନ୍ଦିର । ତୀର୍ଥଯାତ୍ରୀ ଓ ଭକ୍ତଙ୍କୁ ମିଳିବ ମୈାଳିକ ସୁବିଧା । ଶ୍ରୀଜଗନ୍ନାଥ ମନ୍ଦିର ପ୍ରସିଦ୍ଧି ସମଗ୍ର ବିଶ୍ୱରେ ବୃଦ୍ଧି ପାଇବ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଏବଂ ଐତିହ୍ୟର ପ୍ରସାର ପାଇଁ ସୁଯୋଗ ସୃଷ୍ଟି ହେବ । ଅବାଧରେ ବେଢା ପରିକ୍ରମା କରିପାରିବେ ଭକ୍ତ । ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯିବ । ୬ ହଜାର ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ ।

ଏହି ଅବସରରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଜମି ଦେଇଥିବା ଜମି ମାଲିକ ଓ ମଠ ମହନ୍ତଙ୍କୁ ସମ୍ମାନିତ କରିଛନ୍ତି ମ୍ରୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।