ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ କହିଲେ, ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା, ତ୍ୟାଗ ପାଇଁ ପୁରୀବାସୀଙ୍କୁ ଜଣାଇଲେ ଧନ୍ୟବାଦ । 

421
କନକ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଯୋଜନାକୁ ଗୃହରେ ଉପସ୍ଥାପିତ କରିଛନ୍ତି । ଏହାସହ ନବୀନ କହିଛନ୍ତି, ଓଡ଼ିଶା ଜାତିର ସବୁଠୁ ବଡ ପରିଚୟ ମହାପ୍ରଭୁ ଜଗନ୍ନାଥ  । ମହାପ୍ରଭୁଙ୍କୁ ଟିକିଏ ଦର୍ଶନ କରିବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଚ୍ଛା । ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କର ଇଚ୍ଛା ରହିଛି । ଯେଉଁଥିପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆରମ୍ଭ ହୋଇଛି ।
ନବୀନ କହିଛନ୍ତି, ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା । ଗଜପତି ମହାରାଜଙ୍କ ସମେତ ଏହି ଯୋଜନାକୁ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଐତିହ୍ୟ କରିଡରର ବିକାଶ ପାଇଁ ଅନୁମତି ମିଳି ସାରିଛି । ଆଉ ଏଥିପାଇଁ ତ୍ୟାଗ କରିଥିବା ସମସ୍ତ ସେବାୟତ ଓ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହରେ ପାରିତ ହୋଇଛି ।
ଏହି ଯୋଜନା ଉପସ୍ଥାପନ କରିବା ପରେ ନବୀନ କହିଛନ୍ତି, ଏଭଳି ସୁଯୋଗ ବହୁତ କମ ଆସେ । ଯୁଗ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ । ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ତେଣୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଓ ଶୀଘ୍ର ଶେଷ କରିବାକୁ ନିଷ୍ଠାର ସହ ଉଦ୍ୟମ କରିବା । ଦେଶ ବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଗୋଟିଏ ଇଚ୍ଛା ମହାପ୍ରଭୁଙ୍କ ଏହି ଯୋଜନାରେ ସାମିଲ ହେବା ସହ ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ସମସ୍ତଙ୍କୁ ସୁଯୋଗ ଦେବା ।  ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ନବୀନ ।
ଏହାସହ ନବୀନ କହିଛନ୍ତି, ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା,  ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ।