ଖୋଲିଲା କାଳିଆ କବାଟ, ଜଗାକୁ ଦେଖିବ ଜଗତ । ନଅ ମାସ ପରେ ନୂଆବର୍ଷରୁ ନୟନପଥଗାମୀଙ୍କୁ ଦେଖିବ ଭକ୍ତ । କେମିତି ଥିଲା କରୋନା କାଳରେ ଭକ୍ତ-ଭଗବାନଙ୍କ ବିଚ୍ଛେଦର କାହାଣୀ… ପଢନ୍ତୁ

104

କନକ ବ୍ୟୁରୋ: ଭାଙ୍ଗିଲା ଭୂତାଣୁର ଦୁର୍ଗ, ମିଶିଲା ଭକ୍ତ-ଭଗବାନଙ୍କ ଆଖି । ଅନନ୍ତ ଅପେକ୍ଷାର ଅନ୍ତ ପରେ ଭକ୍ତଙ୍କୁ ପାଖରୁ ଦେଖିଲା କାଳିଆ, କାଳିଆକୁ ପାଖରୁ ଦେଖିଲେ ଭକ୍ତ  । ସେ ଦୁଇ ଚକାନୟନ ସହ ମିଶିଲା ଭାବଭରା ଭକ୍ତର ଦୁଇ ନୟନ । ନଅ ମାସ ପରେ ଶେଷରେ ନେହୁରା ଶୁଣିଛି କଳା ଠାକୁର । ସଂକ୍ରମଣର ସୂତାକୁ କାଟି ଖୋଲିଛି ସିଂହଦ୍ୱାର । ଭୂତାଣୁ ଭୟକୁ ଏଡାଇ ଭାବ ବିନୋଦିଆକୁ ଅତି ପାଖରୁ ଦେଖିଲେ ଭକ୍ତ । ଦୀର୍ଘ ୯ ମାସ ଧରି ଭକ୍ତଙ୍କୁ ସଂକ୍ରମଣ ନହେଉ ବୋଲି ଯେଉଁ ସିଂହଦ୍ୱାରରେ କଟକଣାର କବାଟ କିଳିଥିଲା କାଳିଆ ସେଥିରୁ ସେ ସଂକ୍ରମଣର ତାଲା ଫିଟାଇଦେଇଛି । ଆଉ ମନମାନିଲାନି ବୋଲି ଅଥୟ ସାଆନ୍ତେ ଆତୁର ଆଖିରେ ଭକ୍ତଙ୍କ ପାଇଁ ସିଂହଦ୍ୱାରରେ ଚାହିଁ ବସିଛନ୍ତି ।

କରୋନା କାୟା ମେଲାଇବା ପରେ ମାର୍ଚ୍ଚ ୨୦ ପରଠୁ ଆଉ ମିଳିନଥିଲା ମହାବାହୁଙ୍କ ଦର୍ଶନ । ଦିନ ପରେ ଦିନ ଗଡ଼ିଚାଲିଲା ସାତ ଦରିଆର ସେପାରିରେ ଥିବା ସାଆନ୍ତେଙ୍କ ଭକ୍ତଙ୍କ ପାଇଁ ମଧ୍ୟ କଟକଣା ଲାଗିଲା, ପାଖରେ ଥିବା ଭକ୍ତ ବି ଭାବବିନୋଦିଆଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ବି କାଳିଆ ବଡ଼ଦାଣ୍ଡକୁ ଓହ୍ଲାଇଲା କିନ୍ତୁ ଭୂତାଣୁର ଭଉଁରୀ  ଅତି ଭୟଙ୍କର ଥିଲା ବୋଲି ବିନା ଭକ୍ତରେ ହୋଇଥିଲା ଏଥରର ରଥଯାତ୍ରା  । ଅନଲାଇନରେ କାଳିଆ ଆଖିରେ ଆଖି ମିଶିଥିଲା ସତ କିନ୍ତୁ ବିଶ୍ୱର ଯେଉଁ ବଡ଼ ଦାଣ୍ଡରେ ସୋରିଷ ବୁଣିବାକୁ ଜାଗା ନଥାଏ ମହାମାରୀ ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ବି ଖାଁ ଖାଁ ଲାଗିଥିଲା । ମନଉଣା କରିଥିଲେ ମହାବାହୁ, ଭକ୍ତଙ୍କୁ ପାଖରୁ ଦେଖିବାକୁ ଚାହିଁଥିଲେ କୋଭିଡ୍ ଭୂତାଣୁର ଭୟାବହତା ଭକ୍ତଙ୍କ ପାଦରେ ବେଡ଼ି ସାଜିଥିଲା । ଶେଷରେ ମନୁଆ ଠାକୁର ମନମାରି ଭାଇ-ଭଣଣୀଙ୍କ ସହ ନିଳାଦ୍ରୀବିଜେ କରିଥିଲା ।

କେବଳ ଏତିକି ନୁହେଁ ଦୀର୍ଘ ୨୬ ବର୍ଷ ପରେ ଜଗାର ଯୋଦ୍ଧା ବେଶକୁ ଜୀବନକାଳରେ ଦେଖିବାକୁ ସ୍ୱପ୍ନ ଦେଖିଥିବା ଭକ୍ତର ସ୍ୱପ୍ନରେ ବି ସଂକ୍ରମଣ ହିଁ ସଂକ୍ରମଣ ଖେଳିଗଲା । ରଥଯାତ୍ରାରେ ମହାବାହୁଙ୍କୁ ଅନଲାଇନରେ ଦର୍ଶନ କରିବାର ସୁଯୋଗ ପାଇଥିବା ଭକ୍ତ କିନ୍ତୁ ନାଗାର୍ଜୁନ ବେଶକୁ ଦେଖିପାରିଲାନି । ଦୁଇ ଦଶନ୍ଧି ପରେ ହୋଇଥିବା ଦିବ୍ୟ ଓ ଦୁର୍ଲଭ ନାଗାର୍ଜୁନ ବେଶରେ ବି ଭକ୍ତ-ଭଗବାନଙ୍କ ମଝିରେ ଭୂତାଣୁ ପାଚେରୀ ହୋଇ ଛିଡ଼ା ହୋଇଥିଲା । ଜଗା ସିନା ରତ୍ନବେଦୀରେ ସଜେଇ ହେଉଥିଲା କିନ୍ତୁ ତା’ ଆଖି ଆଉ ତା’ କାନ ଭକ୍ତରେ ସେ ଭାବ ବିନୋଦିଆ ସାଆନ୍ତେ ଡାକ ଶୁଣିବାକୁ ସତେ ଯେମିତି ବ୍ୟାକୁଳ ହେଉଥିଲା । ଜୀବନ କାଳରେ ହୁଏତ ଜଗାର ଯୋଦ୍ଧା ବେଶ ଅତି ବିରଳ କହିଲେ ଅତ୍ୟୁକ୍ତି ହେବନି, ହେଲେ କରୋନା କଟକଣା ଏଥିରେ ବି କାଳ ସାଜି ଛିଡ଼ା ହୋଇଥିଲା ।

ହେଲେ ସେ ପରା ନଟନାଗର, ଇଚ୍ଛାମୟ , ତା ବିନା ଇଛାରେ ଦୁବଟିଏ ବି କଅଁଳିବା ଅସମ୍ଭବ । ହୁଏତ ହଟିଆ ଠାକୁର ତା’ ଭକ୍ତଙ୍କୁ ଭୂତାଣୁର ବାହୁରୁ ଦୂରେଇ ରଖିବା ପାଇଁ ନିଜ ମନକୁ ମାରି ସିଂହାସନରେ ବସି ଡାକଶୁଣୁଥିଲା । ମହାମାରୀ ଭିତରେ ନିଜର ପ୍ରିୟ ଭକ୍ତଙ୍କୁ ପାଖରୁ ଦେଖିପାରୁନଥିଲେ କ’ଣ ହେଲା ପତିତପାବନ ବେଶରେ ଜଗତ ଉଦ୍ଧାର ପାଇଁ ସିଂହଦ୍ୱାର କଣରୁ ସତେ ଯେମିତି କାଳିଆ କଣେଇ କଣେଇ ଚାହୁଁଥିଲା । ନିଜେ ସଂଗରୋଧରେ ରହିଲା ଭଳି କରୋନା ଭଳି କାଳ ସାମ୍ନାରେ କିଭଳି ସଚେତନ ହେବାକୁ ହୁଏ ସେ ମଧ୍ୟ ରତ୍ନବେଦୀରେ ସାରା ବିଶ୍ୱକୁ ଜଣାଉଥିଲା । ଆଉ ଏବେ ଭକ୍ତ-ଭଗବାନ ମଝିରେ ମହାମାରୀ ପାଚେରୀ ଭାଙ୍ଗି ଯାଉଛି, ପାଖାପାଖି ୨୭୭ ଦିନ, ୬ ହଜାର ୬ଶହ ୬୦ ଘଣ୍ଟା ଅପେକ୍ଷାର ଅବସାନ ପରେ ସାଆନ୍ତେଙ୍କୁ ପାଖରୁ ଦେଖିଲେ ଭକ୍ତ । ତେବେ କରୋନାକୁ ଦୃଷ୍ଟିରେ ରଖି ଆଜିଠୁ ଆସନ୍ତା ୨୫ ତାରିଖ ଯାଏଁ କରୋନା କାଳରେ କାଳିଆର ସେବା କରିଥିବା ସେବାୟତ ଓ ତାଙ୍କ ପରିବାର ଦର୍ଶନଲାଭ କରିବେ । ଏହାପରେ ୨୬ ତାରିଖରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ପୁରୀବାସୀ ଏବଂ ଜାନୁଆରୀ ୩ରୁ ଅନ୍ୟ ଶ୍ରଦ୍ଧାଳୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ କାଳିଆକୁ ଦେଖିପାରିବେ ।