ଭୂମିପୂଜନ ପାଇଁ ମହାଯଜ୍ଞ : ବ୍ରାହ୍ମଣଙ୍କ ବେଦପାଠରେ କମ୍ପୁଛି ପରିବେଶ

285

କନକ ବ୍ୟୁରୋ : ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ସୋମବାରଠାରୁ ଭୂମିପୂଜନ ଆରମ୍ଭ ହୋଇଛି । ବ୍ରାହ୍ମଣବରଣ ପରେ ମହାଯଜ୍ଞ କୁଣ୍ଡରେ ଅଗ୍ନିସଂଯୋଗ ସହ ଆଜିଠାରୁ ତିନିଦିନିଆ ମହାଯଜ୍ଞ ଆରମ୍ଭ ହୋଇଛି । ବ୍ରାହ୍ମଣମାନେ ବେଦପାଠ ସହ ଯଜ୍ଞକୁଣ୍ଡରେ ଆହୁତି ଦେଇଛନ୍ତି । ‌ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବଡ଼ ବଡ଼ ଦୀପ ଲଗାଇ ସୁସଜ୍ଜିତ କରାଯିବା ସହ ଶ୍ରୀମନ୍ଦିର ଓ ଯଜ୍ଞ ବେଦିଙ୍କୁ ଫୁଲରେ ସଜାଯାଇଛି । ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ର ଶିଳାନ୍ୟାସ ସହ ଭୂମିପୂଜନ ମହାଯଜ୍ଞର ପୂର୍ଣ୍ଣାହୂତି ଦେବେ। ୧୪୭ ବିଧାୟକ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ସୋମବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ମହାଯଜ୍ଞସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଅନ୍ୟ ଅଧିକାରୀଙ୍କ ସହ ଆୟୋଜନ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବଡ଼ଦାଣ୍ଡରେ ବାରିକେଡ୍‌ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସକାଳ ସାଢ଼େ ୯ଟାରୁ ସାଢ଼େ ଗୋଟାଏ ଭିତରେ ପଞ୍ଚକର୍ମ, ବ୍ରାହ୍ମଣବରଣ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶାଲ ପ୍ରବେଶ, ଶାଲ ଦେବତା ପୂଜା କାର୍ଯ୍ୟ ସଂପନ୍ନ ହୋଇଥିଲା । ମହାଯଜ୍ଞ ସ୍ଥଳରେ ସ୍ଥାନୀତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତି ନିକଟରେ ମନ୍ତ୍ରପାଠ କରାଯାଇଥିଲା ।