ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଆରମ୍ଭ । ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ଦେଇ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

144

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭାରମ୍ଭ । ଏଥିପାଇଁ ଚାଲିଥିବା ଯଜ୍ଞରେ ଆସନ୍ତାକାଲି ପୂର୍ଣ୍ଣାହୁତି ଦିଆଯିବ । ଏଥିସହ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ସଜେଇ ଦିଆଯାଇଛି । ଶ୍ରୀମନ୍ଦିର ଚାରିପଟେ କଣ ସବୁ ବ୍ୟବସ୍ଥା କରାଯିବ ଓ କିଭଳି ଏହା ଭକ୍ତଙ୍କ ସୁବିଧାରେ ଲାଗିବ, ଆସନ୍ତୁ ଜାଣିବା ।

ବଦଳିବ ପୁରୀର ଚେହେରା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ । ଶ୍ରୀମନ୍ଦିର ଚାରିପାଖର ବିକାଶ ପାଇଁ ସରକାର ପ୍ରସ୍ତୁତ କରିଥିବା ରୋଡମ୍ୟାପ୍ ଆସନ୍ତାକାଲି ଠାରୁ କାର୍ଯ୍ୟକାରୀ ହେବ, ଯେତେବେଳେ ତିନିଦିନ ଧରି ଚାଲିଥିବା ଯଜ୍ଞରେ ପୁର୍ଣ୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍କରାଚାର୍ଯ୍ୟ, କେନ୍ଦ୍ରମନ୍ତ୍ରୀ, ବିଧାୟକ, ଅଧିକାରୀ, ନେତା ମନ୍ତ୍ରୀଙ୍କ ଉପସ୍ଥିତିରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ନଜର ପକାନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କଣ ସବୁ ବ୍ୟବସ୍ଥା ରହିଛି :
– ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷଣ ପଥ-ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ
– ରଥଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷଣ ପଥ
– ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ଗୃହ ନିର୍ମାଣ
– ଭକ୍ତଙ୍କ ପାଇଁ ସମସ୍ତ ଦ୍ୱାରରେ ସୂଚନା ଓ ଦାନ କେନ୍ଦ୍ର
– ସେବାୟତ ତଥା ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା
– ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବାକେନ୍ଦ୍ର
– ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଏଟିଏମ ଆଦିର ବ୍ୟବସ୍ଥା
– ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ
– ଏକସଙ୍ଗେ ୬ ହଜାର ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ
– ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ

ଗଜପତି ମହାରାଜ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ କରିବାକୁ ଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଉଭୟ ପାଖରେ ବ୍ୟାରିକେଡ ସହ ନୋ ଭେଇକିଲ ଜୋନ୍ ଏବଂ ଦୋଳବେଦୀରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନୋ ମ୍ୟାନ୍ସ ଲ୍ୟାଣ୍ଡ ଘୋଷଣା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ କାଲି ସମ୍ମାନିତ ମଧ୍ୟ କରାଯିବ ।