ମ୍ୟାଥୁସଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ । ବିରାଟ ବାହିନୀ ଆଗରେ ୨୬୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଶ୍ରୀଲଙ୍କା, ଭାରତର ବ୍ୟାଟିଂ ଜାରି ।

82

କନକ ବ୍ୟୁରୋ : ଆଞ୍ଜେଲୋ ମ୍ୟାଥୁସ୍‌ଙ୍କ ଶତକ (୧୧୩ ରନ୍‌, ୧୨୮ ବଲ) ଓ ପଂଚମ ଓ୍ଵିକେଟ୍‌ରେ ଲାହିରୁ ଥିରମାନେ (୫୩ ରନ୍‌, ୬୮ ବଲ, ୪ ଚୌକା)ଙ୍କ ସହିତ ଶତକୀୟ ଭାଗିଦାରୀ (୧୨୪ ରନ୍‌) ବଳରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୭ଟି ଓ୍ଵିକେଟ୍‌ ହରାଇ ୨୬୪ ରନ୍‌ କରିଛି । ଲିଡସ୍‌ରେ ଶନିବାର ଟସ୍‌ ଜିିଣି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୬୫ ରନ୍‌ ଟାର୍ଗେଟ ମିଳିଛି । ଶ୍ରୀଲଙ୍କାର ଆଗଧାଡ଼ିର ବ୍ୟାଟସ୍‌ମ୍ୟାନ ମାନେ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ମାନେ ଭଲ ସ୍କୋର କରିପାରିଛନ୍ତି । ଭାରତୀୟ ବୋଲର ଯଶପ୍ରୀତ ବୁମରାଙ୍କୁ ୩ଟି ଓ୍ଵିକେଟ ମିଳିଥିବା ବେଳେ ଭୁବନେଶ୍ୱର, ହାର୍ଦ୍ଦିକ, ରବୀନ୍ଦ୍ର ଓ କୁଲଦୀପଙ୍କୁ ୧-୧ ଓ୍ଵିକେଟ ମିଳିଥିଲା ।

ଶ୍ରୀଲଙ୍କା ପ୍ରଥମ ଓ୍ଵିକେଟ୍‌ ଭାବେ ସ୍କୋର ୧୭ ରନ୍‌ରେ ଦିମୁଠ କରୁଣାରତ୍ନେଙ୍କୁ ହରାଇଥିଲା । ଓପନର କରୁଣାରତ୍ନେଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ଯଶପ୍ରୀତ ବୁମରା କ୍ୟାଚ୍‌ କରାଇଥିଲେ । କୁଶାଲ ପେରେରା ଆଉଟ୍‌ ହେବା ପୂର୍ବର ୧୪ଟି ବଲ ଖେଳି ୧୮ ରନ୍‌ କରିଥିଲେ । ସେ ମଧ୍ୟ କରୁଣାରତ୍ନେଙ୍କ ଭଳି ଆଉଟ୍‌ ହୋଇଥିଲେ । ସ୍କୋର ୪୦ ରନ୍‌ରେ ଶ୍ରୀଲଙ୍କା ୨ୟ ଓ୍ଵିକେଟ୍‌ ହରାଇଥିବା ବେଳେ ୩ୟ ଓ୍ଵିକେଟ୍‌ ବେଳକୁ ୫୩ ରନ୍‌ କରିଥିଲା । ରବୀନ୍ଦ୍ର ଜାଦେଜାଙ୍କ ବଲକୁ ଧୋନି ଷ୍ଟମ୍ପିଂ କରି କୁଶାଲ ମେଣ୍ଡିସ (୩ ରନ୍‌)ଙ୍କୁ ଆଉଟ୍‌ କରିଥିଲେ । ସ୍କୋର ୫୫ ରନ୍‌ରେ ଭାରତର ୪ର୍ଥ ଶିକାର ହୋଇଥିଲେ ଅଭିଷ୍କା ଫର୍ଣ୍ଣାଡୋଜ୍‌ (୨୦ ରନ୍‌) । ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ୍‌ ଦେଇଥିଲେ ।

ଶ୍ରୀଲଙ୍କାର ସ୍କୋର ୧୭୯ ରନ୍‌ ଥିବା ବେଳେ କୁଲଦୀପ ଯାଦବଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍‌ ଦେଇ ଥିରମାନେ ଆଉଟ୍‌ ହୋଇଥିଲେ । ସେହିପରି ୬ଷ୍ଠ ଓ୍ଵିକେଟରେ ଶ୍ରୀଲଙ୍କା ମ୍ୟାଥୁସଙ୍କୁ ହରାଇଥିଲା । ସ୍କୋର ୨୫୩ ରନ୍‌ରେ ମ୍ୟାଥୁସଙ୍କୁ ରୋହିତ ଶର୍ମାଙ୍କ ହାତରେ ବୁମରା କ୍ୟାଚ୍‌ କରାଇଥିଲେ । ସପ୍ତମ ଓ୍ଵିକେଟ୍‌ ଭାବେ ଥିରସା ପେରେରା (୨ ରନ)ଙ୍କୁ ହରାଇଥିଲା । ଭୁବନେଶ୍ୱର କୁମାରଙ୍କ ବଲ ହାର୍ଦ୍ଦିକଙ୍କୁ କ୍ୟାଚ୍‌ ଦେଇ ପେରେରା ଆଉଟ୍‌ ହୋଇଥିଲେ। ଧନଂଜୟ ଡିସିଲଭା ଅପରାଜିତ ୨୯ ରନ୍‌ ଓ ଇସୁରୁ ଉଡାନ ଅପରାଜିତ ୧ ରନ କରିଥିଲେ ।