ଶ୍ରୀଲଙ୍କାରେ ଶପଥ ନେଲେ ନୂଆ ପ୍ରଧାନମନ୍ତ୍ରୀ । ରନିଲ ୱିକ୍ରମସିଂଘେଙ୍କ ହାତରେ ଲଙ୍କାର ଦାୟିତ୍ୱ । ସଂସଦରେ ଗୋଟିଏ ସିଟ ଥାଇ ପ୍ରଧାନମନ୍ତ୍ରୀ ।

282

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ରନିଲ ୱିକ୍ରମସିଂଘେ । କିଛି ସମୟ ପୂର୍ବରୁ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ପାଠ କରିଛନ୍ତି । ୟୁନାଇଟେଡ ନ୍ୟାଶନାଲ ପାର୍ଟିର ନେତା ପୂର୍ବରୁ ୫ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି । ତେଣୁ ପୂର୍ବ ଅଭିଜ୍ଞତାକୁ ନେଇ ସେ ନିଜ ଦାୟିତ୍ୱ ପୂରା କରିବେ ବୋଲି ଦଳ ଆଶା ରଖିଛି । ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଓ ରନିଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ଏହି ସମୟରେ ତାଙ୍କୁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଥିବା କୁହାଯାଉଛି ।

ଏହି ବୈଠକ ପରେ ରାଷ୍ଟ୍ରପତି ରାଜପକ୍ଷ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ରାଷ୍ଟ୍ରପତି କହିଥିଲେ କି ଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୂର କରିବାକୁ ଗୋଟିଏ ମିଳିତ ସରକାର ଗଠନ ଖୁବ ଶିଘ୍ର ହେବ । ଏଥିସହ ତାଙ୍କୁ ମିଳିଥିବା କାର୍ଯ୍ୟନିର୍ବାହୀ କ୍ଷମତାକୁ ସେ ସଙ୍କୁଚିତ କରିବେ କିନ୍ତୁ ରାଷ୍ଟ୍ରପତି ପଦ ଛାଡିବେନି ବୋଲି କହିଥିଲେ ।

ସେପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ । ବିନା ଅନୁମତି ସେ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି । ରାଜପକ୍ଷ,ତାଙ୍କ ପରିବାର କିଛି ସଦସ୍ୟ ଓ ସହଯୋଗୀ ମୋଟ ୧୫ଜଣଙ୍କ ଉପରେ ଲାଗିଛି ଏହି କଟକଣା । ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଏହି ଆର୍ଥିକ ଓ ରାଜନୈତିକ ଅସ୍ଥିରତା ପାଇଁ ରାଜପକ୍ଷଙ୍କ ପରିବାରକୁ ଦାୟୀ କରାଯାଉଛି । ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ସଂର୍ଘଷ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଛି । ତେଣୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ନସରିବା ପର୍ଯ୍ୟନ୍ତ ଏହି ୧୬ଜଣ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି ।

ହିଂସା ଓ ପ୍ରତିବାଦର ନିଆଁରେ ଜଳୁଥିବା ଶ୍ରୀଲଙ୍କାରେ ଏବେ ସୁଦ୍ଧା ଜଣେ ସାଂସଦଙ୍କୁ ମିଶାଇ ୯ଜଣଙ୍କ ମୃତ୍ୟୁ ଓ ୩ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦେଶର ଅଧୀକାଂଶ ସ୍ଥାନରେ କଫ୍ୟୁ ଲଗାଯାଇଛି ଓ ମାସକ ମଧ୍ୟରେ ଦୁଇ ଦୁଇ ଥର ଏମରଜେନ୍ସି ଘୋଷଣା କରାଯାଇଛି । ରାଜଧାନୀ କଲମ୍ବୋଠୁ ନେଇ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।