କନକ ବ୍ୟୁରୋ : ଶ୍ରୀହୀନ ହୋଇପଡିଛି ଶ୍ରୀଲଙ୍କା । ସ୍ୱର୍ଣ୍ଣର ଲଙ୍କାରେ ଏବେ ପୁଣି ଲାଗିଛି ନିଆଁ । ବଡ ବଡ କୋଠା ଜଳୁଛି, ନୀଳ ଆକାଶକୁ କଳା ଧୂଆଁ ଉଠୁଛି । ଆଉ ଏହି ନିଆଁ ହେଉଛି ଶ୍ରୀଲଙ୍କାବାସୀଙ୍କ ଅସନ୍ତୋଷର ନିଆଁ । ଯାହା ଶ୍ରୀଲଙ୍କାକୁ ଏବେ ଜାଳି ଛାରଖାର କରି ସାରିଲାଣି । ଆଉ ଏହା ପଛର ସବୁଠୁ ବଡ କାରଣ ହେଉଛି ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ । ଏହି ଆର୍ଥିକ ସଙ୍କଟ ଏତେ ଉଗ୍ର ହୋଇଛି ଯେ, ବିଜୁଳି ଅଭାବରୁ ଶ୍ରୀଲଙ୍କା ଏବେ ଅନ୍ଧକାର ଭିତରେ ଦିନ କାଟୁଛି । ଖାଦ୍ୟ, ଇନ୍ଧନ କି ଔଷଧ ମିଳିବା ଆଉ ସହଜ ହୋଇନାହିଁ । ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେଇସାରିଥିବା ବେଳେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଜନତା ।
ଶ୍ରୀଲଙ୍କା ରାଜରାସ୍ତାରେ ଉତ୍ତେଜନା, ମାରପିଟ ଓ ଭଙ୍ଗାରୁଜା । ଏହା ତ ଆରମ୍ଭ ମାତ୍ର, ଶ୍ରୀଲଙ୍କାରେ ସ୍ଥିତି ଆହୁରି ସାଂଘାତିକ ହୋଇପାରେ । ସରକାରୀ କୋଠା ଭାଙ୍ଗୁଛି, ନେତାଙ୍କ ଘର ଜଳୁଛି । ଆଉ ଜଳୁଥିବା ନିଆଁ ହେଉଛି ଶ୍ରୀଲଙ୍କବାସୀଙ୍କ ମନରେ ଥିବା କ୍ଷୋଭର ଝଲକ । ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସାଂଘାତିକ ସ୍ତରରେ ପହଞ୍ଚିଥିବା ବେଳେ ଏବେ ମହିନ୍ଦ୍ରା ରାଜପକ୍ଷଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ସଂଘର୍ଷ । ଆଉ ଏହି ସଂଘର୍ଷ ଏତେ ଉଗ୍ର ରୂପ ଧାରଣ କରିଛି ଯେ, ଏହାର ଆକ୍ରୋଶରୁ ନେତା, ଜନତା କେହି ବାଦ୍ ପଡୁନାହାନ୍ତି । ବିପକ୍ଷବାଦୀ ସରକାରୀ କୋଠା ଓ ବିଭିନ୍ନ ନେତାଙ୍କ ଘରକୁ ଟାର୍ଗେଟ କରୁଥିବା ବେଳେ ସପକ୍ଷବାଦୀ ଠେଙ୍ଗା, ବାଡି, ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରୁଛନ୍ତି । ଯାହାଫଳରୁ ଶତାଧିକ ଲୋକ କେବଳ ଆହତ ହୋଇନାହାନ୍ତି ବରଂ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଛି । ଯେଉଁମାନଙ୍କ ମଧ୍ୟରେ ଜଣେ ସାଂସଦ ମଧ୍ୟ ରହିଛନ୍ତି ।
ସୂଚନା ଅନୁସାରେ, ସଂଘର୍ଷ ସ୍ଥଳରେ ସରକାରୀ ଦଳର ଜଣେ ସାଂସଦଙ୍କ କାରକୁ ଘେରି ଯାଇଥିଲେ ଉତ୍ତ୍ୟକ୍ତ ଲୋକେ । ଫଳରେ ଜୀବନ ବଞ୍ଚାଇବା ପାଇଁ ଗୁଳିମାଡ କରି ସାଂସଦ ପାଖରେ ଥିବା ଏକ ବିଲ୍ଡିଂରେ ଛକିଥିଲେ । କିନ୍ତୁ ଉତ୍ତ୍ୟକ୍ତ ଜନତା ଉକ୍ତ ବିଲ୍ଡିଂକୁ ଘେରିଯିବା ପରେ ସାଂସଦ ନିଜେ ନିଜକୁ ଗୁଳି ମାରିଥିଲେ । ସେହିଭଳି ସାଂସଦଙ୍କ ଗୁଳିରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଦୁଇପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଏବେ ଶ୍ରୀଲଙ୍କାରେ ହିଂସାକାଣ୍ଡର ରୂପ ନେଇସାରିଛି । ଯାହା ପୂରା ଶ୍ରୀଲଙ୍କାରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି । ଏପରିକି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜପକ୍ଷେଙ୍କ ପୈତୃକ ଘରକୁ ଜାଳିପୋଡି ଛାରଖାର କରି ଦେଇଛନ୍ତି ଲୋକେ । ସେହିଭଳି ରାଜପକ୍ଷେଙ୍କ ପାର୍ଟିରୁ ନିର୍ବାଚିତ ହୋଇଥିବା କିଛି ସାଂସଦଙ୍କ ଉପରେ ଆକ୍ରମଣ ସହ ଘର ଜାଳି ଦେଇଛନ୍ତି ବିକ୍ଷୋଭକାରୀ ।
ଏଭଳି ସ୍ଥଳେ ସ୍ଥିତି ସାଂଘାତିକ ରୂପ ଧାରଣ କରୁଥିବା ବେଳେ ପୂରା ଦେଶରେ ବୁଧବାର ସକାଳ ୭ଟା କର୍ଫ୍ୟୁ ଲଗାଯାଇଛି । ଦେଶରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେନାକୁ ନିୟୋଜିତ କରାଯାଇଛି । ଅନ୍ୟପଟେ ରାଜପକ୍ଷେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାରେ କିଏ ସରକାର ଗଢିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ବିରୋଧୀ ସ୍ପଷ୍ଟ କରି ସାରିଛନ୍ତି, ରାଜପକ୍ଷେ ପରିବାରର କୌଣସି ସଦସ୍ୟ ଥିବା ଦଳ ସହ ମେଣ୍ଟ କରି ସରକାର ଗଠନ କରାଯିବ ନାହିଁ । ଆଉ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ସ୍ପଷ୍ଟ ଦର୍ଶାଉଛି ଯେ, ଶ୍ରୀଲଙ୍କା ରାଜନୀତିରୁ ରାଜପକ୍ଷେ ପରିବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ । ୧୯୪୮ରେ ବ୍ରିଟେନ ଠାରୁ ସ୍ୱାଧୀନତା ମିଳିବା ପରେ ଶ୍ରୀଲଙ୍କା କେବେ ଏଭଳି ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇନଥିଲା । ଯାହା ଆଜି ଦେଖିବାକୁ ମିଳୁଛି ।