କ୍ରିକେଟକୁ ବାଏ ବାଏ କଲେ ୟର୍କର କିଙ୍ଗ ମାଲିଙ୍ଗା । ପ୍ରଂଶସକଙ୍କ ପାଇଁ କହିଲେ କିଛି ଏମିତି କଥା… ।

244

କନକ ବ୍ୟୁରୋ : କ୍ରିକେଟକୁ ବାଏ ବାଏ କଲେ ୟର୍କର କିଙ୍ଗ୍ ଲାସିଥ ମାଲିଙ୍ଗା । ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେବା ସହ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଶ୍ରୀଲଙ୍କାର ଘାତକ ବୋଲର ମାଲିଙ୍ଗା । ଏନେଇ ନିଜ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ମାଲିଙ୍ଗା । ଚଳିତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ରିଲିଜ କରିବା ପରେ ଫ୍ରାଞ୍ଚାଇଜ୍ କ୍ରିକେଟରୁ ଅବସର ନେଇଥିଲେ ମାଲିଙ୍ଗା । ଆଉ ଟି-୨୦ କ୍ରିକେଟରୁ ଅବସର ନେବା ସହ ପୂରା କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମାଲିଙ୍ଗା ।

୨୦୦୪ ମସିହାରେ ଶ୍ରୀଲଙ୍କା ପକ୍ଷରୁ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ମାଲିଙ୍ଗା ନିଜର ୟର୍କର ପାଇଁ ବେଶ ପରିଚିତ । ମାଲିଙ୍ଗାଙ୍କ ୟର୍କର ବ୍ୟାଟସମ୍ୟାନଙ୍କ ମନରେ ଆଉଟ ହେବାର ଭୟ ସୃଷ୍ଟି କରୁଥିଲା । ଆଉ ଏହି ୟର୍କରକୁ ସାଥୀ କରି ଏକଦା ଶ୍ରୀଲଙ୍କାର ଶ୍ରେଷ୍ଠ ତଥା ଘାତକ ବୋଲର ଭାବେ ଜଣାଶୁଣା ଥିଲେ ମାଲିଙ୍ଗା । ଏହାଛଡା ଆଇପିଏଲ ଓ ବିଗ୍ ବାସ ଲିଗରେ ମଧ୍ୟ ମାଲିଙ୍ଗାଙ୍କ ପ୍ରଦର୍ଶନ ବେଶ ଭଲ ରହିଥିଲା । ମୁମ୍ବାଇ ପକ୍ଷରୁ ଲଗାତାର ଖେଳି ଆସୁଥିବା ମାଲିଙ୍ଗାଙ୍କୁ ଚଳିତବର୍ଷ ଦଳ ରିଲିଜ କରି ଦେଇଥିଲା । ଆଉ ଏହାପରେ ପୁଣିଥରେ କ୍ରିକେଟ ପଡିଆକୁ ଫେରିବା ମାଲିଙ୍ଗାଙ୍କ ପାଇଁ ସହଜ ହୋଇନଥିଲା ।

ନିଜ ବୋଲିଂ ଶୈଳୀ ପାଇଁ ପ୍ରତିଟି କ୍ରିକେଟପ୍ରେମୀଙ୍କ ପାଖରେ ପରିଚିତ ହୋଇଥିଲେ ମାଲିଙ୍ଗା । ଖାସକରି ଟି-୨୦ ଫର୍ମାଟରେ ମାଲିଙ୍ଗାଙ୍କ ଜବରଦସ୍ତ କ୍ରେଜ ରହିଥିଲା । ମାଲିଙ୍ଗା ନିଜ କ୍ରିକେଟ କ୍ୟାରିୟରରେ ମୋଟ ୨୯୫ଟି ଟି-୨୦ ମ୍ୟାଚ୍ ଖେଳି ମାଲିଙ୍ଗା ୩୯୦ଟି ୱିକେଟ ହାସଲ କରିଥିଲେ । ସେହିଭଳି ୨୧ ବର୍ଷର ଅର୍ନ୍ତଜାତୀୟ କ୍ରିକେଟ କ୍ୟାରିୟରରେ  ଶ୍ରୀଲଙ୍କା ପାଇଁ ୩୦ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୮୪ଟି ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୧୦୧, ୩୩୮ ଓ ୧୦୭ଟି ୱିକେଟ ହାସଲ କରିଛନ୍ତି ମାଲିଙ୍ଗା । ଏପରିକି ମାଲିଙ୍ଗାଙ୍କ ନାଁରେ ସର୍ବାଧିକ ୫ଟି ହ୍ରାଟିକ ୱିକେଟ ନେବାର ରେକର୍ଡ ରହିଛି । ସେହିଭଳି ଆଇପିଏଲରେ ମଧ୍ୟ ୧୭୦ଟି ୱିକେଟ ନେଇଛନ୍ତି ମାଲିଙ୍ଗା । ଶ୍ରୀଲଙ୍କାକୁ ଟି-୨୦ ବିଶ୍ୱକପ ବିଜେତା କରିବା ପଛରେ ମଧ୍ୟ ମାଲିଙ୍ଗାଙ୍କ ବଡ ଅବଦାନ ରହିଛି ।

ଏହାପୂର୍ବରୁ ୨୦୧୧ରେ ଟେଷ୍ଟ କ୍ରିକେଟରୁ ଓ ୨୦୧୯ରେ ଦିନିକିଆ କ୍ରିକେଟରୁ ଅବସର ନେଇ ସାରିଛନ୍ତି ମାଲିଙ୍ଗା । ଟ୍ୱିଟ୍ କରି ମାଲିଙ୍ଗା କହିଛନ୍ତି, ମୋ ବୋଲିଂ ଜୋତାକୁ ଟି-୨୦ କ୍ରିକେଟରୁ ଆରାମ ଦେଉଛି ଏବଂ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେଉଛି । କ୍ରିକେଟ କ୍ୟାରିୟରରେ ମୋତେ ସମର୍ଥନ କରିଥିବା ଏବଂ ଭଲପାଇବା ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ । ଏଣିକି ମୋ ଅନୁଭୂତି ଯୁବ ଖେଳାଳିଙ୍କ ସହ ସେୟାର କରିବି । କ୍ରିକେଟରୁ ସିନା ମୋ ଜୋତା ଆରାମ କରିଛି କିନ୍ତୁ କ୍ରିକେଟ ପ୍ରତି ଥିବା ଭଲପାଇବା ମୋତେ କେବେ ଆରାମ ନେବାକୁ କହିବ ନାହିଁ ।