ବଡଦାଣ୍ଡରେ ଭିକ ମାଗୁଥିଲେ ଶିକ୍ଷିତ ଶ୍ରୀଜିତ୍ । ସାଙ୍ଗର ଦୁଃଖ ଦେଖି ସହି ପାରିଲେନି ସୁଧାଂଶୁ । ସାହାଯ୍ୟର ବଡ ହାତ ବଢାଇଲେ, ପ୍ରକୃତ ସାଙ୍ଗର ପରିଚୟ ଦେଲେ ପୋଲିସ କମିଶନର

31,693

କନକ ବ୍ୟୁରୋ: କୁହାଯାଏ ସାଙ୍ଗ ହେଉଛି ଜୀବନର ଶ୍ରେଷ୍ଠ ସମ୍ପତ୍ତି । ବିପଦ ବେଳେ କିଏ ସାହାଯ୍ୟ କରୁ ବା ନକରୁ କିନ୍ତୁ ପ୍ରକୃତ ବନ୍ଧୁ ସାହା ହେବାକୁ ଧାଇଁଆସେ, ଲୁହ ପୋଛି ହସ ଫୁଟାଇବାକୁ ହାତ ବଢାଇଦିଏ । ଆଉ ସେହି କଥାକୁ ସତ ପ୍ରମାଣିତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଦୀର୍ଘ ଦିନ ପରେ ବି ସାଙ୍ଗକୁ ଭୁଲି ନାହାନ୍ତି ସୁଧାଂଶୁ ବରଂ କଲେଜ ବେଳର ସାଙ୍ଗର ଅସହାୟତା ଶୁଣି ତାଙ୍କୁ ସାହାଯ୍ୟ କରିବାକୁ ବନ୍ଧୁତାର ବଡ ହାତ ବଢାଇ ଦେଇଛନ୍ତି ।

ଆଜ୍ଞା ହଁ ! ପୁରୀ ବଡଦାଣ୍ଡରୁ ଉଦ୍ଧାର ହୋଇଥିବା ଶିକ୍ଷିତ ଭିକାରୀ ଜଣଙ୍କ ହେଉଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସାଙ୍ଗ ଶ୍ରୀଜିତ୍ ପାଢୀ । ପାଠ ପାଇଁ ପାଗଳ ହୋଇଥିବା ଶ୍ରୀଜିତ, ସୁଧାଂଶୁଙ୍କ କଲେଜ ସମୟର ସାଙ୍ଗ । କଟକ ରେଭେନ୍ସାରେ ଦୁହେଁ ସାଙ୍ଗ ହୋଇ ପଢୁଥିଲେ । ଇକୋନମିକ୍ସରେ ପିଜି କଲା ବେଳେ ଶ୍ରୀଜିତଙ୍କ ବନ୍ଧୁ ଥିଲେ ପୋଲିସ କମିଶନର ।

ତେବେ ଓଏଏସ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ସନ୍ତୁଳନ ହରାଇ ବସିଥିଲେ ପୁରୀ ବଡଶଙ୍ଖ ତଳ ନୂଆସାହିର ଶିକ୍ଷିତ ଯୁବକ ଶ୍ରୀଜିତ୍ ପାଢୀ । ଫାଷ୍ଟକ୍ଲାସ କ୍ୟାରିୟର ଥିବା ଶ୍ରୀଜିତ ମାନସିକ ସ୍ଥିତାବସ୍ଥା ହରାଇବାର ପରେ ବଡଦାଣ୍ଡରେ ବୁଲୁଥିଲେ । ଦୀର୍ଘ ୧୦ ବର୍ଷ ହେବ ମହାପ୍ରଭୁଙ୍କ ମନ୍ଦିର ଆଗରେ ମାଗିଯାଚି ପେଟ ପୋଷୁଥିଲେ । ହେଲେ ଶ୍ରୀଜିତଙ୍କ ସମ୍ପର୍କରେ ଆମେ ଖବର ପ୍ରସାରଣ କରିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିଛନ୍ତି ତାଙ୍କ ପ୍ରକୃତ ବନ୍ଧୁମାନେ । ବଡଦାଣ୍ଡରୁ ନେଇ ତାଙ୍କୁ ବଡ ମେଡିକାଲରେ ଚିକିତ୍ସା କରିଛନ୍ତି ।

ସବୁଠାରୁ ବଡକଥା ହେଉଛି ଶ୍ରୀଜିତଙ୍କ ସାହାଯ୍ୟ ପଛରେ ରହିଛି ପୋଲିସ କମିଶନରଙ୍କ ପ୍ରଚ୍ଛଦ ହାତ । ରେଭେନ୍ସା ସାଙ୍ଗମାନେ ଯେତେବେଳେ ଶ୍ରୀଜିତଙ୍କ ଅସହାୟତା କଥା ତାଙ୍କୁ ଜଣାଇଥିଲେ ସଙ୍ଗେସଙ୍ଗେ ବଡ ମେଡିକାଲରେ ବେଡଟିଏ ଯୋଗାଡ କରିଦେଇଥିଲେ ସୁଧାଂଶୁ । ଖାଲି ମଣିଷପଣିଆ ନୁହେଁ ବରଂ ଶ୍ରୀଜିତଙ୍କୁ ସାହାଯ୍ୟ କରି ପ୍ରକୃତ ସାଙ୍ଗର ପରିଚୟ ଦେଇଥିଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।