ତୁଳୀରେ ତୁଳୀରେ ଜୀବନର କଥା । ପାଟି ଖୋଲି କହି ପାରନ୍ତିନି ବୋଲି କାନଭାସ ଉପରେ ରଙ୍ଗ-ତୁଳୀ ଧରି ମନର କଥା କହୁଛନ୍ତି ଦୁଇ ଦିବ୍ୟାଙ୍ଗ ଭାଇ । ଜୀବନ ରଙ୍ଗରେ ଅଙ୍କା ଜୀବନ୍ତ ଚିତ୍ରକୁ ବିଦେଶରୁ ମିଳିଛି ପ୍ରଶଂସା

169

କନକ ବ୍ୟୁରୋ: ଚିତ୍ର ପାଲଟିଛି ଜୀବନ ଆଉ ଜୀବିକା । ଚିତ୍ର ଦେଇଛି ପରିଚୟ ଆଉ ଶିଖେଇଛି ଜୀବନ ଜିଁଇବାର କଳା । ସେମାନଙ୍କ ଚିତ୍ର କେବଳ ରାଜ୍ୟ କି ଦେଶ ଭିତରେ ସିମୀତ ହୋଇ ରହିନି । ବିଦେଶରେ ମଧ୍ୟ ପ୍ରଭାବ ବିସ୍ତାର କରିଛି । କଥା ସିନା କହିପାରନ୍ତିନି କିନ୍ତୁ ତାଙ୍କ ଚିତ୍ର କଥା କୁହେ । ଚିତ୍ର କୁହେ ଭାରତରୁ ଆମେରିକା, ରୁଷରୁ ନେପାଳ ଓ ଇଂଲଣ୍ଡରୁ ପ୍ୟାରିସର କଥା ।

ତୁଳୀରେ ତୁଳୀରେ ଜୀବନର କଥା । ଚିତ୍ରରେ ବଖାଣୁଛନ୍ତି ମନର ଭାଷା । କଥା କହିବାର ଶକ୍ତିର ଅଭାବକୁ ଯେମିତି ପୂରଣ କରିଛନ୍ତି ତୁଳୀର ଅଙ୍କାବଙ୍କା ଗାର ଜରିଆରେ । କଟକ ଯୋବ୍ରା ମଲ୍ଲାସାହିର ଦୁଇ ଭାଇ ଶ୍ରୀହର୍ଷ ଶୁକ୍ଳା ଏବଂ ସିଦ୍ଧାର୍ଥ ଶୁକ୍ଳା । ଜନ୍ମରୁ କଥା କହିପାରୁନାହାନ୍ତି । ହେଲେ ରଙ୍ଗ ଓ ତୁଳୀକୁ ନେଇ ବଖାଣୁଛନ୍ତି ଜୀବନ ଓ ସୌନ୍ଦର୍ଯ୍ୟ । କାନଭାସ ଉପରେ ଆଙ୍କି ଦିଅନ୍ତି ସୁନ୍ଦର ସୁନ୍ଦର ଚିତ୍ର । ଚିତ୍ର ପାଇଁ ଦେଶ ବିଦେଶରେ ବେଶ ପ୍ରଶଂସା ସାଉଟିଛନ୍ତି ଦୁଇ ଭାଇ । ଚିତ୍ରଗୁଡିକ ବାହାର ଦେଶରେ ଭଲ ଦାମରେ ମଧ୍ୟ ବିକ୍ରି ହୁଏ ।

ତେବେ ଭଳିକି ଭଳି ମନମୁଗ୍ଧକର ଚିତ୍ର ଆଙ୍କିଛନ୍ତି ଦୁଇ ଚିତ୍ରଶିଳ୍ପୀ । ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ସହର ଓ ଜୀବଜନ୍ତୁଙ୍କ ଚିତ୍ର ସେମାନଙ୍କ କାନଭାସରେ ଫୁଟି ଉଠିଛି । ଗୁଡ ଇଭିନିଙ୍ଗ ପ୍ୟାରିସ, ନ୍ୟୁୟର୍କ ସିଟି, ପିଟସବର୍ଗ ବ୍ରିଜ, ଭାଓଲିନ ଗେଟ୍ ଏବଂ ଷ୍ଟାଚ୍ୟୁ ଅଫ ଲିବରଟୀ ଆଦି ଉଭୟଙ୍କ ଚିତ୍ରାଙ୍କନରେ କଏଦ ହୋଇଛି । ତେବେ ଏସବୁ ଚିତ୍ର ପାଇଁ ସେମାନେ ଆମେରିକାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବ୍ଲିନ୍ କ୍ଲିଂଟନ ମଧ୍ୟ ତାଙ୍କୁ ଉଚ୍ଚପ୍ରଶଂସା କରିଥିଲେ । ଜୀବନ୍ତ ଚିତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପାଇଛନ୍ତି ।

ପିଲାଦିନୁ ଶ୍ରୀହର୍ଷ ଏବଂ ସିଦ୍ଧାର୍ଥଙ୍କ ଚିତ୍ର ପ୍ରତି ଥିବା ଦୁର୍ବଳତା ଥିବା ଦେଖି ତାଙ୍କ ମାଆ ହାତରେ ରଙ୍ଗତୁଳୀ ଧରାଇଥିଲେ । ସେହି ଦିନଠାରୁ ଚିତ୍ର ପାଲଟିଯାଇଛି ଉଭୟଙ୍କ ଜୀବନର ରଙ୍ଗ । ଶ୍ରୀହର୍ଷ ଏବେ କଟକ ରେଲୱେ ସେଟେଲମେଂଟ ହାଇସ୍କୁଲରେ ଆର୍ଟ ଟିଚର ଭାବେ କାର୍ଯ୍ୟରତ ଥିବା ବେଳେ ସିଦ୍ଧାର୍ଥ ଯୋବ୍ରା ମୁନିସିପାଲ ହାଇସ୍କୁଲରେ ଆର୍ଟ ଟିଚର ଭାବେ କାର୍ଯ୍ୟ କରୁଛନ୍ତି ।