ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ମୁଖ୍ୟ ସଚିବ,  ୩୩୧ କୋଟି ଟଙ୍କା ବୟ ଅଟକଳରେ ଚାଲିଛି କାର୍ଯ୍ୟ

119

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେ ଲ୍ୟାଣ୍ଡସ୍କେପିଂ ସହ କ୍ଷେତ୍ରର ବିକାଶ ଉପରେ ଦୃଷ୍ଟି ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ପହଂଚି ସେଠାରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଅଗ୍ରଗତି ଉପରେ ଅନୁଧ୍ୟାନ କରିଥିଲେ । ଏନେଇ ସେ କାମରେ ନିୟୋଜିତ ଥିବା ଇଂଜିନିୟର ଓ ଶ୍ରମିକମାନଙ୍କ ସହ କଥା ହୋଇଥିଲେ । ଏହି କଥାବାର୍ତ୍ତା ବେଳେ ସେ ବିଭିନ୍ନ କାର୍ଯ୍ୟ ସମାପ୍ତ କରିବାକୁ ସମୟ ସ୍ଥିର କରିଥିଲେ । ଏହି କ୍ରମରେ ଆଗାମୀ ୯ ମାସ ମଧ୍ୟରେ ପରିକ୍ରମା ପ୍ରକଳ୍ପର ସମସ୍ତ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷାରୁ ଜଣାପଡିଛି ଯେ ଭକ୍ତମାନଙ୍କୁ ସୁବିଧା ଯୋଗାଇ ଦେବା ଓ ତୀର୍ଥଯାତ୍ରୀ ଏବଂ ମନ୍ଦିର ସୁରକ୍ଷାକୁ ସୁଦୃଢ କରିବା ପାଇଁ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ମନ୍ଦିରକୁ ଘେରି ରହିଥିବା ମେଘନାଦ ପାଚେରୀ ଚାରିପାଖରେ ଐତିହ୍ୟ କରିଡରର ବିକାଶ କରାଯାଉଛି । ଏହି କରିଡର ଭକ୍ତ, ସେବକ ଏବଂ ପ୍ରଭୂ ଜଗନ୍ନାଥଙ୍କ ସହିତ ଜଡିତ ବିଭିନ୍ନ ପର୍ବ/ରୀତିନୀତିର ସୁଗମ ପରିଚାଳନା ପାଇଁ ସହାୟକ ହେବ ।

ଏହି କରିଡରରେ ମୁଖ୍ୟତ ୫ ଟି ଜୋନ ରହିବ । ପ୍ରଥମରେ ବଫର ନୋ ଏଣ୍ଟ୍ରି ଜୋନ, ପ୍ରଦକ୍ଷୀଣ ପଥ, ଲ୍ୟାଣ୍ଡସ୍କେପ ଜୋନ, ବାହ୍ୟ ପ୍ରଦକ୍ଷିକ ଜୋନ ଓ ସର୍ବ ସାଧାରଣ ସୁବିଧା ଜୋନ । ଏହି କରିଡରକୁ ପଥର, କାଠ, ଗଛ, ଏବଂ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଫୁଲ ସହାୟତାରେ ସଜାଯିବ । ଭିତର ପ୍ରଦକ୍ଷ ପଥକୁ ମୁଖ୍ୟତ ଭକ୍ତମାନଙ୍କ ଦ୍ୱାରା ବିଭିନ୍ନ ପର୍ବ ପର୍ବାଣୀ ଏବଂ ବର୍ଷସାରା ପ୍ରଭୁଙ୍କ ରୀତିନୀତି ପାଇଁ ବ୍ୟବହାର କରାଯିବ ।

ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୩୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଭୂମି ସ୍ତରର କାର୍ଯ୍ୟ ଆଶାତୀତ ଅଗ୍ରଗତି କରିଛି । ତିନୋଟି ପାଶ୍ୱର୍ରେ ବାହ୍ୟ ପ୍ରବେଶ ରାସ୍ତା, ୬ ଟି ଶୌଚାଳୟ, ୩ ଟି ଆଶ୍ରୟ ସ୍ଥଳ, ମିନି ବ୍ଲକ ରୁମ, ଇଲେକ୍ଟ୍ରିକ୍ ରୁମ ଇତ୍ୟାଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ରଗତି କରୁଛି ବୋଲି କୁହାଯାଉଛି ।