ଜଗା ପାଇଁ ହାତ ଖୋଲି ସୁନା ଦାନ କଲେ ଭକ୍ତ ! ହୁଣ୍ଡିରୁ ଯେତିକି ସୁନା ମିଳିଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

32

କନକ ବ୍ୟୁରୋ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ବିପୁଳ ପରିମାଣର ସୁନା । ବିଗତ ୩୪ ବର୍ଷ ମଧ୍ୟରେ ହୁଣ୍ଡିରୁ ୧୮ କୋଜି ସୁନା ମିଳିଥିବା ବେଳେ ଭକ୍ତ ଦାନ କରିଛନ୍ତି ୨ଶହ କୋଜି ରୂପା । ଭକ୍ତଙ୍କ ଦାନ ନେଇ ସୂଚନା ସର୍ବଜନୀନ ହେବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଉ ଏହି ଦାନ ଆକାରରେ ମିଳିଥିବା ସୁନାରୁ ମହାପ୍ରଭୁଙ୍କ ଅଳଙ୍କାରର ମରାମତି କରିବାକୁ ଯୋଜନା ହୋଇଛି ।

ଭକ୍ତ ଓ ଭଗବାନଙ୍କ ସଂପର୍କକୁ ନେଇ ପୁରୀରେ ଅନେକ କାହାଣୀ ରହିଛି । କେବେ ଶହ ଶହ କିଲୋମିଟର ଦୂରରୁ ଭକ୍ତ ବଡ ଠାକୁରଙ୍କ ପାଖକୁ ଧାଇଁ ଆସେ, ତ ଆଉ କେବେ ଭକ୍ତଙ୍କ ପାଇଁ ଗର୍ଭଗୃହ ଛାଡି ଆସନ୍ତି ଶ୍ରୀଜିଉ । ଭଗବାନ ଯେମିତି କରୁଣା ଅଜାଡ଼ି ଦିଅନ୍ତି, ଠିକ୍ ସେମିତି ଭକ୍ତ ପାଖରେ ଯାହା ଥାଏ ଅତି ଶ୍ରଦ୍ଧାରେ ହୁଣ୍ଡିରେ ଦାନ କରିଦିଏ ।ଆଉ ଏହି କ୍ରମରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ମିଣିଥିବା ଦାନର ପରିମାଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୁଣ୍ଡିରୁ ମିଳିଛି ୧୮ କେଜି ସୁନା ଏବଂ ୨ଶହ କେଜି ରୁପା । ଦୀର୍ଘ ୩୪ ବର୍ଷରେ ଏହି ଅଳଙ୍କାର ବଡ ଠାକୁରଙ୍କୁ ଦାନ ଆକାରରେ ମିଳିଛି ।
-୧୯୮୩ରୁ ୨୦୧୮ ଜାନୁୟାରୀ ସୁଦ୍ଧା ସୁନା ଓ ରୂପା ଅଳଙ୍କାର ଦାନ ଆକାରରେ ମିଳିଛି
-୨୦୦୯ ମସିହାରେ ସର୍ବାଧିକ ୧କେଜି ୩୨୩ ଗ୍ରାମ ସୁନା ଦାନ ଆକାରରେ ମିଳିଥିଲା
-୧୯୯୨ ମସିହାରେ ସର୍ବାଧିକ ସର୍ବାଧିକ ୧୧କେଜି ୯୪୪ ଗ୍ରାମ ରୂପା ହୁଣ୍ଡିରେ ପଡିଥିଲା

ବଡ କଥା ହେଉଛି- ଭକ୍ତଙ୍କଠାରୁ ଦାନ ଆକାରରେ ମିଳିଥିବା ସୁନାରେ ମହାପ୍ରଭୁଙ୍କ ଅଳଙ୍କାର ଗୁଡ଼ିକର ମରାମତି କରାଯିବାକୁ ନିଷ୍ପତି ହୋଇଛି । ଆଉ ଏହି ମରାମତି କାର୍ଯ୍ୟ ରଥଯାତ୍ରା ପୂୂର୍ବରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଜୁଏଲାରି ଦୋକାନରେ ମହାପ୍ରଭୁଙ୍କ ଅଳଙ୍କାର ସବୁର ମରାମତି କରାଯିବ । ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଶ୍ରୀପୟର, ବଳଭଦ୍ରଙ୍କ ରାମାନୁଜ ଚିତା ଏବଂ ହରିଡ଼ା ମାଳର ମରାମତି କରାଯିବାର ଲକ୍ଷ୍ୟ ରଖାଯାଇଛି । ଶ୍ରୀଜିଉଙ୍କ ଅନେକ ଅଳଙ୍କାରର ମରାମତି ଆବଶ୍ୟକ ଥିବାରୁ ଶ୍ରୀମନ୍ଦିରର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସିଂହାରୀ ସେବାୟତ ।ଶ୍ରୀମନ୍ଦିର ହୁଣ୍ଡିରେ ଦାନର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଏହାକୁ ଯେତେବେଳେ ସାର୍ବଜନୀନ କରାଯାଉଛି, ଦାନର ପରିମାଣ ଆହୁରି ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ।