ଦାନ ହୋଇଗଲା ପଢୁଆଁ ଭାର । ନିଆଳି ମାଧବରୁ ଯାଇଥିବା ଭାର ନେଇ ସ୍ପଷ୍ଟୀକରଣ ରଖିଲା ଶ୍ରୀମନ୍ଦିର ପ୍ରଶାସନ, ନୀତି ପ୍ରଶାସକ କହିଲେ, ପଢୁଆଁ ଭାର ଭାବେ ଗ୍ରହଣ କରାଯାଇନାହିଁ, ଟ୍ରଷ୍ଟକୁ ଦାନ ଭାବେ କରାଗଲା ଗ୍ରହଣ

359

କନକ ବ୍ୟୁରୋ : ମହାପ୍ରଭୁଙ୍କ ମାମୁଁଘର କେଉଁଠି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ଜଗନ୍ନାଥଙ୍କ ମାମୁଁଘର କୁହାଯାଉଥିବା ନିଆଳିର ମାଧବାନନ୍ଦଜିଉ ମନ୍ଦିରରୁ ଯାଇଥିବା ପଢୁଆଁ ଭାରକୁ ଗ୍ରହଣ କଲାନି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ କହିଛି, ନିଆଳି ମାଧବରେ ମହାପ୍ରଭୁଙ୍କ ମାମୁଁଘର ଥିବା ନେଇ କୌଣସି ସତ୍ୱଲିପିରେ ଉଲ୍ଲେଖ ନାହିଁ । ତେଣୁ ମାଧବାନନ୍ଦଜୀଉ ମନ୍ଦିରରୁ ଆସିଥିବା ଭାରକୁ ପଢ଼ୁଆଁ ଭାର ଭାବେ ଗ୍ରହଣ ନକରି ଭକ୍ତଙ୍କ ଦାନ ଭାବେ ଶ୍ରୀମନ୍ଦିରରେ ରଖାଯାଇଛି ।

ଜଗନ୍ନାଥଙ୍କ ପାଇଁ ପଢୁଆଁ ଭାର ନେଇ ଯେତେବେଳ ନିଆଳିରୁ ପୁରୀକୁ ଯାତ୍ରା ଚାଲିଥିଲା, ପୁରା ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । କିନ୍ତୁ କିଏ ଜାଣିଥିଲା ଯେ, କାଳିଆର ମାମୁଁଘରକୁ ନେଇ ବିବାଦ ସୃଷ୍ଟି ହୋଇଯିବ । ପୁରୀ ଶ୍ରୀମନ୍ଦିରରେ ଭାର ଗ୍ରହଣ ତ କରାଗଲା କିନ୍ତୁ କୁହାଗଲା ପଢୁଆଁ ଭାର ନୁହେଁ, ଦାନ ଭିତିରେ ଗ୍ରହଣ କରାଗଲା ।

ମାଧବଜୀଉ ମନ୍ଦିର ନୁହେଁ ଜଗନ୍ନାଥଙ୍କ ମାମୁଁଘର ? ଏଭଳି ପ୍ରଶ୍ନ ଉଠିବା ପରେ ଶ୍ରୀମନ୍ଦିର ପ୍ରଶାସନ ବି ସ୍ପଷ୍ଟୀକରଣ ଦେଲା ଯେ, ଏମିତି ପରମ୍ପରା ନାହିଁ ଏବଂ ଏହା ମାମୁଁଘରୁ ଆସିଥିବା ଭାର ନୁହେଁ ।ଏହାକୁ ଭାର ନୁହେଁ ବରଂ ଦାନ ଭିତ୍ତିରେ ଗ୍ରହଣ କରାଯାଇଛି । ସେପଟେ ନିଆଳି ମାଧବଜୀଉ ମନ୍ଦିର ପକ୍ଷରୁ ନିଆଯାଇଥିବା ଭାର ସପକ୍ଷରେ ଯୁକ୍ତି ବାଢିଛନ୍ତି ଆଉ କିଛି ଜଗନ୍ନାଥ ସଂସ୍କୃତି ଗବେଷକ । ସେମାନେ କହିଛନ୍ତି, ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ୧୨୨୬ ଖ୍ରୀଷ୍ଟାବ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୮ ମସିହାରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଶ୍ରୀମନ୍ଦିର ପତ୍ରିକାରେ ନିଆଳିର ମାଧବାନନ୍ଦଜୀଉ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମାମୁଁଘର ବୋଲି ଉଲ୍ଲେଖ କରାଯାଇଛି । ୨୦୧୮ ମସିହାରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଶ୍ରୀମନ୍ଦିର ପତ୍ରିକାର ଲେଖା ଯାଇଛି, ଜନସୃତିରେ ମାଧବାନନ୍ଦ ମନ୍ଦିରକୁ ଶ୍ରୀଜଗନ୍ନାଥଙ୍କର ମାମୁଁଘର ବୋଲି କୁହାଯାଇଥାଏ ।ଏହି ପତ୍ରିକାରେ ଆହୁରି ମଧ୍ୟ ଲେଖାଯାଇଛି, ବହୁ ପୂର୍ବେ ପ୍ରଥମାଷ୍ଟମୀ ଦିନ ଶ୍ରୀମାଧବଙ୍କ ମନ୍ଦିରରୁ ଆଜ୍ଞାମାଳ ଓ ଜୋଡବସ୍ତ୍ର ଆଣି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ଲାଗି କରାଯାଇଥିଲା । ସମୟ କ୍ରମେ ଏହି ପରମ୍ପରା ଲୁପ୍ତ ହୋଇଯାଇଛି । ତେବେ ଆଜି ମଧ୍ୟ ଉଭୟ ମନ୍ଦିରରେ ପୂଜା ପରମ୍ପରାରେ ଅନେକ ସାମଞ୍ଜସ୍ୟ ରହିଛି ବୋଲି ଏଥିରେ ଲେଖା ହୋଇଛି । ଏ କଥା ମଧ୍ୟ କୁହାଯାଉଛି ଯେ ଦୁଇ ପ୍ରମୁଖ ପୁରାତନ ମନ୍ଦିର ମଧ୍ୟରେ ନିବିଡ ସମ୍ପର୍କ ଥିଲା ।