କନକ ବ୍ୟୁରୋ: ଅଭାବ ଅନାଟନରେ ଘାରି ହେଉଥିବା ଶ୍ରୀଲଙ୍କାର ସ୍ଥିତି ଅସମ୍ଭାଳ । ଏପରି ଉକ୍ରଟ ଅର୍ଥନୈତିକ ସଙ୍କଟ ଭିତରେ ଦେଶର ନବ ନିଯୁକ୍ତ ଅର୍ଥମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସବୁଠୁ ରୋଚକ କଥା ହେଉଛି । ତାଙ୍କ ନିଯୁକ୍ତି ୨୪ ଘଣ୍ଟା ନପୁରୁଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଥିବା ତାଙ୍କ ଭାଇ ବାସିଲ ରାଜପାକସେଙ୍କୁ ବରଖାସ୍ତ କରିବା ପରେ ସୋମବାର ଅଲ୍ଲୀ ସାବ୍ରିଙ୍କୁ ଦେଶର ନୂତନ ଅର୍ଥମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ । ତେବେ ନିଯୁକ୍ତ କରିବାର ଗୋଟିଏ ଦିନ ପରେ ଶ୍ରୀଲଙ୍କାର ନୂଆ ଅର୍ଥମନ୍ତ୍ରୀ ଅଲ୍ଲି ସାବ୍ରି ନିଜ ପଦରୁ ଇସ୍ତଫା ଦେଇଦେଇଛନ୍ତି ।
ରାଷ୍ଟ୍ରପତି ରାଜପାକସେଙ୍କୁ ଲେଖିଥିବା ଏକ ଚିଠିରେ ସାବ୍ରି କହିଛନ୍ତି ଯେ, ସେ ଏକ ଅସ୍ଥାୟୀ ପଦକ୍ଷେପର ଅଂଶ ଭାବେରେ ଏହି କାର୍ଯ୍ୟଭାର ଗ୍ରହଣ କରିଥିଲେ । ସାବ୍ରି ଚିଠିରେ କହିଛନ୍ତି ଯେ, ‘ତଥାପି ବହୁ ପ୍ରତିଫଳନ ଏବଂ ବିଚାର ବିମର୍ଶ ପରେ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ବିଚାରକୁ ନେବା ପରେ , ସମ୍ପ୍ରତି ଦେଶରେ ସୃଷ୍ଟି ହୋଇଥିବା ଉକ୍ରଟ ଆର୍ଥିକ ସଙ୍କଟର ସମାଧାନ ଓ ମୁକାବିଲା କରିବା ପାଇଁ ଉପଯୁକ୍ତ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା କରିବାକୁ ଆପଣଙ୍କୁ ବର୍ତ୍ତମାନ ମୁଁ ମତ ଦେଉଛି । ଏବଂ ଜଣେ ନୂତନ ଅର୍ଥମନ୍ତ୍ରୀ ନିଯୁକ୍ତି ସମେତ ଏ କ୍ଷେତ୍ରରେ ଏକ ଅଣପାରମ୍ପାରିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ମୁଁ ଅନୁଭବ କରୁଛି’ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଅଲ୍ଲି ସାବ୍ରି ।
ସୋମବାର ରାଷ୍ଟ୍ରପତି ରାଜପାକସେଙ୍କ ଦ୍ୱାରା ନିଯୁକ୍ତ ୪ଜଣ ନୂଆଁ ମନ୍ତ୍ରୀଙ୍କ ମଧ୍ୟରେ ଅଲ୍ଲୀ ସାବ୍ରି ଥିଲେ ଅନ୍ୟତମ । ଶ୍ରୀଲଙ୍କା ବର୍ତ୍ତମାନ ଇତିହାସରେ ଏହାର ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି । ଦେଶରେ ଇନ୍ଧନ , ରୋଷେଇ ଗ୍ୟାସ୍, ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ଦୀର୍ଘ ଘଣ୍ଟା ବିଦ୍ୟୁତ୍ କାଟ୍ ସହ ହାହାକାର ପରିସ୍ଥିତି ଦେଖାଦେଇଛି । ଲୋକେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବାରୁ ଅନେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।