ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ। ସାମ୍ନାକୁ ଆସିଲା ଜାହାଜ ଭିତରକୁ ପ୍ରବେଶର ଫଟୋ।

240

କନକ ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ସୁଟକେସ ଧରି ଜାହାଜ ଭିତରକୁ ପ୍ରବେଶ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ତାଙ୍କ ସହିତ ଦୁଇ ଜଣ ସହଯୋଗୀ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ଦେଶରେ ଆର୍ଥିକ ସଙ୍କଟ ସାଂଘାତିକ ସ୍ଥିତିରେ ପହଁଚିବା ପରେ ସରକାରଙ୍କ ବିରୋଧରେ ବିଦ୍ରୋହ ଭୟାନକ ରୂପଧାରଣ କରିଛି । ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନ ଭିତରେ ଧସେଇ ପଶିବା ପୂର୍ବରୁ ଗୋଟାବାୟା ଘର ଛାଡି ଚାଲିଯାଇଥିଲେ । ଗୋଟାବାୟା ଯେଉଁ ଜାହାଜରେ ଯାଉଛନ୍ତି ତାହା ଶ୍ରୀଲଙ୍କା ନୌସେନାର । ତେଣୁ ଏବେ ନିଜ ସୁରକ୍ଷା ପାଇଁ ଗୋଟାବାୟା ଅନ୍ୟ ଦେଶକୁ ପଳାଇଛନ୍ତି ନା ଗଭୀର ସମୁଦ୍ର ଭିତରେ ଆତ୍ମଗୋପନ କରିଛନ୍ତି? ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ତେବେ ରାଷ୍ଟ୍ରପତି ଜୁଲାଇ ୧୩ ତାରିଖରେ ଇସ୍ତଫା ଦେବେ ବୋଲି ସୂଚନା ରହିଛି । ଅନ୍ୟପଟେ ଦୁଇ ମାସ ପୂର୍ବରୁ ଅର୍ଥାତ ମେ’ ୯ରେ ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପାକ୍ଷେ ଇସ୍ତଫା ଦେଇଥିଲେ । ଏବେ ଉଭୟ କେଉଁଠି ଅଛନ୍ତି? ତାହା ଗୋପନ ରଖାଯାଇଛି ।

ରାଷ୍ଟ୍ରପତି ଇସ୍ତଫା ଦେଲେ ଶ୍ରୀଲଙ୍କାର ବାଚସ୍ପତି କାର୍ଯ୍ୟକାରୀ ରାଷ୍ଟପତି ଭାବେ ଦାୟିତ୍ୱ ସମ୍ଭାଳିବେ । ମାସକ ମଧ୍ୟରେ ସଂସଦରେ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ କେହି ଜଣେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ । ଆଉ ସେ ସରକାର ଗଢିବେ । ମିଳିତ ସରକାର ଗଠନ ପାଇଁ ଦାବି କରୁଛନ୍ତି ଜନତା ।

ଶ୍ରୀଲଙ୍କା କରଜ ଜାଲରେ ଫସି ଦେବାଳିଆ ହେବା ପରେ ଏବେ ଖାଦ୍ୟ ଏବଂ ଇନ୍ଧନର ଅଭାବ । ଆଉ ଅଣାୟତ ସ୍ଥିତି ଉପରେ ଏବେ ଇଣ୍ଟରନାସନାଲ ମନିଟାରୀ ଫଣ୍ଡ ବା ଆଇଏମଏଫ ନଜର ରଖିଛି । ଆସନ୍ତା ସପ୍ତାହରେ ଆଇଏମଏଫର ଟିମ୍ ଶ୍ରୀଲଙ୍କା ଆସିବ ବୋଲି ସୂଚନା ରହିଛି । ଏବେ ଶ୍ରୀଲଙ୍କାର ଚିଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ଶଭେନ୍ଦ୍ର ସିଲଭା ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ଆହ୍ୱାନ କରିଛନ୍ତି । ଶନିବାର ସନ୍ଧ୍ୟାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନକୁ ଧସେଇ ପଶିଥିଲେ ହଜାର ହଜାର ଜନତା । ସେଠାରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା, ତାହା ଦର୍ଶାଉଥିଲା, ଶ୍ରୀଲଙ୍କାର ରାଜନୈତିକ ଓ ସାମାଜିକ ଅସ୍ଥିରତା କେତେ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି । ରାଷ୍ଟ୍ରପତିଙ୍କ ଚୌକିରେ ବସିଥିଲେ, ଡାଇନିଂ ହଲରେ ଖାଇଥିଲେ, ସୁଇମିଂ ପୁଲରେ ଗାଧୋଇଥିଲେ ଉତ୍ୟକ୍ତ ଜନତା ।
ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଶ୍ରୀଲଙ୍କା ସହିତ ରହିଥିଲୁ ଏବେ ବି ରହିଛୁ । ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ଶ୍ରୀଲଙ୍କା ସହିତ ଆମେରିକା ରହିଛି । ଏବେ ରାଜନୈତିକ ଅସ୍ଥିରତା ବେଳେ ଠୋସ୍ ପଦକ୍ଷେବ ନେବା ଦରକାର । ପଦକ୍ଷେପ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ହେବା ଉଚିତ । ଶ୍ରୀଲଙ୍କାକୁ ଆର୍ଥିକ ସହାୟତା କରିବାକୁ ଯାଇ ଜାପାନ ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରିଆରେ ୩ ମିଲିୟନ ଆମେରିକୀୟ ଡଲାର ଜରୁରୀକାଳୀନ ସହଯୋଗ କରିବାକୁ ନିଷ୍ପତି ନେଇଛି ।