ଶ୍ରୀଲଙ୍କାର ସ୍ଥିତି ନେଇ ରାଷ୍ଟ୍ରଦୂତ ମିଲିଣ୍ଡା କହିଲେ ଏଭଳି କଥା, “ଶ୍ରୀଲଙ୍କା ଅର୍ଥ ବ୍ୟବସ୍ଥାର ଚାବି ଭାରତ ପାଖରେ ରହିଛି “

251

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଉପୁଜିଥିବା ଆର୍ଥିକ ସମସ୍ୟା ପରେ ଭାରତ ଲଗାତର ଭାବେ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ଆସୁଛି । ଏହି କଥାକୁ ନେଇ ଭାରତରେ ନିଯୁକ୍ତ ହୋଇଥିବା ଶ୍ରୀଲଙ୍କାର ରାଷ୍ଟ୍ରଦୂତ ମିଲିଣ୍ଡା ମୋରାଗୋଡା ଭାରତକୁ କୃତଜ୍ଞତା ଜଣାଇବା ସହ କହିଛନ୍ତି କି ଶ୍ରୀଲଙ୍କାର ଏଭଳି ପରିସ୍ଥିତି ଭିତରେ କେବଳ ଭାରତ ହିଁ ଶ୍ରୀଲଙ୍କାକୁ ରକ୍ଷା କରିପାରିବ ।

କହିରଖୁ କି ମଙ୍ଗଳବାର ଦିନ ଭାରତ ଶ୍ରୀଲଙ୍କାକୁ ପେଟ୍ରୋଲିୟମ ଉତ୍ପାଦ କ୍ରୟ କରିବାକୁ ୫୦ କୋଟି ଡଲାରର ସହାୟତା ଯୋଗାଇ ଦେଇଛି । ସହାୟତା ପାଇବାର ଗୋଟିଏ ଦିନ ପରେ ମିଲିଣ୍ଡା ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଏହାସହ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶର ଆର୍ଥିକ ସ୍ଥିତିର ସୁଧାର ଆଣିବାକୁ ଲଗାତର ପ୍ରୟାସ ଜାରି ରଖିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମିଲିଣ୍ଡା କହିଛନ୍ତି କି ବିଜୁଳି ଭଳି ଅତ୍ୟାବଶକୀୟ ସେବାକୁ ନେଇ ଭାରତ ସର୍ବଦା ଶ୍ରୀଲଙ୍କାକୁ ସହାୟତା ଯୋଗାଇ ଆସିଛି । ସେ ଆହୁରି କହିଛନ୍ତି କି ଜରୁରୀ ସେବା ଯେଭଳି କି, ପେଟ୍ରୋଲିୟମ, ବିଜୁଳି, ବନ୍ଦର, ରପ୍ତାନୀ, ଉତ୍ପାଦନ ଭଳି ସେକ୍ଟରକୁ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଉତ୍ତମ ବୁଝାମଣା ରହିଛି ।

ଅନେକ ଲୋକଙ୍କ ମନରେ ରହିଛି କି ଶ୍ରୀଲଙ୍କା ଅର୍ଥିକ ଅବସ୍ଥାର ସୁଧାର ଆଣିବାକୁ ଚୀନ ଠାରୁ ଋଣ ନେଇଛି । ହେଲେ ଏକଥାକୁ ପ୍ରତ୍ୟାଖାନ କରିଛନ୍ତି ମିଲିଣ୍ଡା । ସେ କହିଛନ୍ତି କି ବଜେଟ ଓ ସରକାରୀ ଯୋଜନାକୁ ପରିଚାଳନା କରିବାକୁ ଯାଇ ଶ୍ରୀଲଙ୍କା ଏଭଳି ସ୍ଥିତିରେ ପହଂଚିଛି । ଏନେଇ କୌଣସି ଦେଶକୁ ଦୋଷଦେବା ଠିକ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାରେ ଆରମ୍ଭ ହୋଇଥିବା ନୂଆ ଅର୍ଥ ବ୍ୟବସ୍ଥାର ଚାବି ଭାରତ ପାଖରେ ଥିବା କଥା ମିଲିଣ୍ଡା କହିବା ସହ ଏଭଳି ସ୍ଥିତିରୁ ମୁକୁଳିବାକୁ ଭାରତ ତାଙ୍କୁ ନିଶ୍ଚିନ୍ତ ସହାୟତା କରିବ ବୋଲି ମିଲିଣ୍ଡା ଆଶା ପ୍ରକାଶ କରିଛନ୍ତି ।