ହାଇବ୍ରିଡ ମଡେଲକୁ ବିସିସିଆଇର ନା, ପାକିସ୍ତାନରେ ଖେଳାଯାଇ ନପାରେ ଏସିଆ କପ୍ । ଜାଣନ୍ତୁ ଆୟୋଜକ ରେସରେ କିଏ ଅଛି ଆଗରେ?

987

କନକ ବ୍ୟୁରୋ : ସରିଛି ଆଇପିଏଲ, ଚାମ୍ପିୟନ ହେଲା ଚେନ୍ନାଇ । ଫ୍ରାଞ୍ଚାଇଜ କ୍ରିକେଟ ପରେ ଏବେ ନିଜ ଦେଶ ପାଇଁ ମୈଦାନକୁ ଓହ୍ଲାଇବେ ଷ୍ଟାର କ୍ରିକେଟର । ଆସନ୍ତା ସପ୍ତାହରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପରେ ପରେ ଏସିଆ କପ, ବିଶ୍ୱକପ ପାଇଁ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବ ମେନ୍ ଇନ୍ ବ୍ଲୁ । ତେବେ ଏସିଆ କପ୍ କେଉଁଠି ଖେଳାଯିବ ତାହାକୁ ନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ । ଏପରିକି ଗତ ୨୭ରେ ବିସିସିଆଇର ଏସଜିଏମ୍ ମିଟିଂରେ ମଧ୍ୟ ଏସିଆ କପ ବାବଦରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ । ବିଶ୍ୱକପ୍ ପୂର୍ବରୁ ଅଥାର୍ତ ଅଗଷ୍ଟ-ସେପ୍ଟେମ୍ବର ମାସରେ ହିଁ ଏସିଆ କପ ଖେଳାଯିବ । ଚଳିତ ଏସିଆ କପର ଆୟୋଜକ ପାକିସ୍ତାନ ରହିଛି । କିନ୍ତୁ ପାକିସ୍ତାନରେ ଭାରତ ଖେଳିବାକୁ ସ୍ପଷ୍ଟ ମନା କରିଥିବାରୁ ଏବେ ଏସିଆ କପ୍ କେବେ ଓ କେଉଁଠି ଖେଳାଯିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି ।

ପାକିସ୍ତାନ କୌଣସି ପରିସ୍ଥିତିରେ ନିଜ ଦେଶ ଛଡା ଅନ୍ୟ କେଉଁଠି ଏସିଆ କପ୍ ହେଉ ତାହା ଚାହୁଁନାହିଁ । କିନ୍ତୁ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବାକୁ ଭାରତ ଆଦୌ ଚାହୁଁନାହିଁ । ଏଭଳିସ୍ଥିତିରେ ଏସିଆ କପରେ ହାଇବ୍ରିଡ ମଡେଲ ଲାଗୁ କରିବାକୁ ପାକିସ୍ତାନ ଜୋର ଦେଉଥିଲା । ଯାହାଫଳରେ ଭାରତ ନିଜର ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଖେଳିବ । କିନ୍ତୁ ଏବେ ହାଇବ୍ରିଡ ମଡେଲକୁ ମଧ୍ୟ ଭାରତ ନାଁ କରିଛି । କାରଣ ଏହାଦ୍ୱାରା ଅନ୍ୟ ଟିମର ଟ୍ରାଭେଲିଂରେ ଅଧିକ ସମୟ ନଷ୍ଟ ହେବ । ପ୍ରତି ଦିନେ ଦୁଇଦିନ ବ୍ୟବଧାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଟ୍ରାଭେଲ କରିବାକୁ ମଧ୍ୟ ଖେଳାଳୀ ଅନିଚ୍ଛୁକ । ଏଭଳି ସ୍ଥିତିରେ ପାକିସ୍ତାନ ବାହାରେ ପୂରା ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନରେ ଯଦି ଟୁର୍ଣ୍ଣାମେଣ୍ଟ ନ ହେଉଛି ତେବେ ଏସିଆ କପର ଆୟୋଜନ ପାଇଁ ଶ୍ରୀଲଙ୍କା ପ୍ରସ୍ତୁତ ଥିବା ସଂକେତ ଦେଇଛି ।

ଆଇପିଏଲ ଫାଇନାଲ ମୁକାବିଲା ଦେଖିବାକୁ ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ କ୍ରିକେଟ ବୋର୍ଡର ଅଧିକାରୀ ଏବେ ଗୁଜୁରାଟରେ ଅଛନ୍ତି । ତେଣୁ ଏଭଳି ସ୍ଥିତିରେ ଏସିସି ସଦସ୍ୟଙ୍କ ସାମ୍ନାରେ ଏସିଆ କପ୍ ନିଜ ଦେଶରେ ଆୟୋଜନ କରିବାକୁ ଶ୍ରୀଲଙ୍କା ପ୍ରସ୍ତାବ ଦେଇପାରେ । ଯଦି ଏସିସି ଏଥିରେ ରାଜି ହୁଏ ତେବେ ପାକିସ୍ତାନ ନୁହେଁ ବରଂ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ । ଶ୍ରୀଲଙ୍କାରେ ଯଦି ଏସିଆ କପ୍ ଖେଳାଯାଏ ତେବେ କ୍ରିକେଟପ୍ରେମୀ ଏକ ବଡ ମୁକାବିଲା ଦେଖିବାରୁ ବଞ୍ଚିତ ହୋଇପାରନ୍ତି । କାରଣ ନିଜ ଦେଶରେ ଏସିଆ କପ୍ ନହେଲେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଯିବ ବୋଲି ପିସିବି ବୋର୍ଡ ଅଧ୍ୟକ୍ଷ ପୂର୍ବରୁ ଧମକ ଦେଇଛନ୍ତି । ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା ଦେଖିବାରୁ ବଞ୍ଚିତ ହୋଇପାରନ୍ତି କ୍ରିକେଟପ୍ରେମୀ । ସେହିଭଳି ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ଭାଗ ନେବନି ବୋଲି ପରୋକ୍ଷରେ ଧମକ ଦେଇଛି ।  କିନ୍ତୁ ଏସିଆ କପକୁ ନେଇ ଏଯାଏଁ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନି । ଯାହା କ୍ରିକେଟପ୍ରେମୀଙ୍କୁ ଏବେ ବି ଦ୍ୱନ୍ଦ୍ୱରେ ରଖିଛି ।