ସାଂଘାତିକ ହେଉଛି ଶ୍ରୀଲଙ୍କା ସଙ୍କଟ । କର୍ଫ୍ୟୁ ପରେ ବି ଥମୁନି ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇ ଲୋକେ କହୁଛନ୍ତି ‘ଆମକୁ ଖାଇବାକୁ ଦିଅ’ ।

189

କନକ ବ୍ୟୁରୋ : ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଶ୍ରୀଲଙ୍କା ଆର୍ଥିକ ପରିସ୍ଥିତି । ଖାଦ୍ୟ ଓ ଜରୁରୀ ସାମଗ୍ରୀର ଅଭାବ ଦେଶବାସୀଙ୍କୁ ରାସ୍ତାକୁ ନେଇ ଆସିଛି । ଆଉ ଦିନକୁ ଦିନ ଶ୍ରୀଲଙ୍କାରେ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି । ଲୋକଙ୍କ ରାଗକୁ ନଜରରେ ରଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ନିଜ ଭାଇଙ୍କୁ ଅର୍ଥ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ଏବଂ ବିରୋଧୀ ଦଳଙ୍କୁ ସରକାର ଗଢିବାକୁ ପରାମର୍ଶ ଦେଇଛନ୍ତି ।

ଆର୍ଥିକ ସଙ୍କଟ ପାଇଁ ବଢୁଛି ଲୋକଙ୍କ ଆକ୍ରୋଶ । ଇସ୍ତଫା ଦେଲେ ଶ୍ରୀଲଙ୍କା କ୍ୟାବିନେଟର ସମସ୍ତ ମନ୍ତ୍ରୀ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସୋମବାର ସମସ୍ତ ବିରୋଧୀ ଦଳ ନେତାଙ୍କୁ ସରକାରରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଏକ ଷ୍ଟେଟମେଣ୍ଟ ଜାରି କରାଯାଇଛି । ସେଥିରେ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଏକଜୁଟ ହୋଇ ଦେଶକୁ ଏହି ଭୟଙ୍କର ଆର୍ଥିକ ସମସ୍ୟା ଭିତରୁ ରାସ୍ତା ବାହାର କରିବାକୁ ନିବେଦନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ।

ତେବେ ରାଷ୍ଟ୍ରପତି ଗୋଟାବାୟାଙ୍କ ଏହି ନିଷ୍ପତି ପୂର୍ବରୁ ରବିବାର ବିଳମ୍ବିତ ରାତିରେ ଶ୍ରୀଲଙ୍କା କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ରାଜପକ୍ଷେ ପରିବାରର ସମସ୍ତ ସଦସ୍ୟ ଇସ୍ତଫା ଦେଇ ଦେଇଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ବାଦଦେଲେ ସମସ୍ତ ୨୬ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ବୋସିଲ ରାଜପକ୍ଷେ, ଖେଳମନ୍ତ୍ରୀ ନମଲ ରାଜପକ୍ଷେ ସର୍ବପ୍ରଥମେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କେବଳ ସେତିକି ନୁହେଁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିୱାର୍ଡ କାବରାଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

କର୍ଫ୍ୟୁ ପରେ ବି ଥମୁନି ଜନତାଙ୍କ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇ କହୁଛନ୍ତି ‘ଆମକୁ ଖାଇବାକୁ ଦିଅ’ । ସେପଟେ ଖାଦ୍ୟ ପଦାର୍ଥ ଏବଂ ଅତ୍ୟାବଶକୀୟ ସାମଗ୍ରୀର ଅଭାବ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି । ଦେଶରେ ଜରୁରୀକାଳିନ ସ୍ଥିତିର ଘୋଷଣା ପରେ ବି ଲୋକଙ୍କ ଆନ୍ଦୋଳନ ଥମୁନାହିଁ । ରାଷ୍ଟ୍ରପତିଙ୍କ ବାସଭବନ ଆଗରେ ନାରାବାଜି କରି କହୁଛନ୍ତି ଆମକୁ ଖାଇବାକୁ ଦିଅ, ନହେଲେ ଇସ୍ତଫା ଦିଅ । ରବିବାର ସରକାର ବିରୋଧୀ ପ୍ରଦର୍ଶନ କରିବା ପାଇଁ ୬ଶହରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । କର୍ଫ୍ୟୁ ଭାଙ୍ଗି ଲୋକେ ଆନ୍ଦୋଳନ କରୁଥିବାକୁ ସେମାନଙ୍କୁ ଗିରଫ କରାଯାଇଛି ।

ସମସ୍ୟା ଘେରରେ ଥିବା ପଡୋଶୀ ଶ୍ରୀଲଙ୍କାକୁ ପୁଣି ଥରେ ସହାୟତା ହାତ ବଢାଇଛି ଭାରତ । ଫୁଏଲ ଟ୍ୟାଙ୍କ ସମେତ ୪୦ହଜାର ଟନ୍ ଚାଉଳ ଶ୍ରୀଲଙ୍କାକୁ ପଠାଇଛି ଭାରତ । ଆଗାମୀ ଦିନରେ ଆହୁରି ଚାଉଳ, ଗହମ ଭଳି ଖାଦ୍ୟ ଶସ୍ୟ ସମେତ ଜରୁରୀ ଔଷଧ ଭାରତ ପଠାଇବାର ଯୋଜନା ରହିଛି । ସମସ୍ୟା ଭିତରେ ଥିବା ଶ୍ରୀଲଙ୍କାକୁ ଭାରତର ସହଯୋଗ ପରେ ଶ୍ରୀଲଙ୍କା ନାଗରିକ ଏବଂ ବିରୋଧୀ ଦଳ ନେତା ଭାରତ ସରକାରଙ୍କ ପ୍ରଶଂସା କରିଛନ୍ତି ।