ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ବିଗୁଡୁଛି ସ୍ଥିତି, ସବୁଠି ହିଂସାର ନିଆଁ । ଜଳୁନି ବିଜୁଳି, ମହମବତୀ ଗାଏବ, ମିଳୁନି ଔଷଧ ।

272

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତିକୁ ବିରୋଧ କରି ସରକାର ବିରୋଧରେ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ଥିତି ହିଂସାମୁହାଁ ହେଉଥିବାରୁ ଜରୁରୀକାଳୀନ ଭିତିରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି ରାଷ୍ଟ୍ରପତି ରାଜପକ୍ଷେ । ହିଂସା ରୋକିବାକୁ ସେନା ମୁତୟନ ହୋଇଛନ୍ତି । ଦରଦାମ ଆକାଶ ଛୁଆଁ ହୋଇଥିବାରୁ କିଛି ଲୋକ ଏବେ ଦେଶ ଛାଡିବା ଆରମ୍ଭ କରିଛନ୍ତି । ସେପଟେ ଶ୍ରୀଲଙ୍କାରେ ଡିଜେଲ ମଧ୍ୟ ଶେଷ ହୋଇଯାଇଛି । ତେଣୁ ଦୈନିକ ୧୩ ଘଣ୍ଟା ବିଜୁଳି କାଟ ହେଉଛି । ଏହି ସମୟରେ ଭାରତ ସହଯୋଗର ହାତ ବଢାଇଛି । ୪୦ ହଜାର ଟନ୍ ଲେଖାଏଁ ଡିଜେଲ ଓ ଚାଉଳ ଶ୍ରୀଲଙ୍କାରେ ପହଞ୍ଚାଇଛି ଭାରତ ।

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ବିଗୁଡୁଛି ସ୍ଥିତି, ସବୁଠି ହିଂସାର ନିଆଁ । ଜଳୁନି ବିଜୁଳି, ମହମବତୀ ଗାଏବ, ମିଳୁନି ଔଷଧ । ଏପରି ଅବସ୍ଥାରେ ରହିଛି ଦକ୍ଷିଣ ଏସିଆର ଅନ୍ୟତମ ଦେଶ ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଏହି ଦେଶରେ ଏବେ ଲୋକେ ଭୋକ ଉପାସରେ ଆଉଟପାଉଟ୍ ହେଉଛନ୍ତି । ଆର୍ଥିକ ସ୍ଥିତି ଖରାପ ଥିବାରୁ ଦରଦାମ ଆକାଶଛୁଆଁ ରହିଛି ।

ରାଜରାସ୍ତାକୁ ଲୋକେ ଓହ୍ଲାଇବା ପରେ ହିଂସା ଦେଖିବାକୁ ମିଳିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବାସଭବନ ଆଗରେ ଲୋକେ ବସ ଜାଳିଦେଇଛନ୍ତି । ପରିସ୍ଥିତି ଅଣାୟତ ହେଉଥିବା ଦେଖି ଶ୍ରୀଲଙ୍କା ସରକାର ଜରୁରୀ ପରିସ୍ଥିତି ଜାରି କରିଛନ୍ତି । ଡିଜେଲ ଅଭାବ ହେବାରୁ ସରକାର ବିଜୁଳି ସଂରକ୍ଷିତ ରଖିବାକୁ ଯାଇ ୧୩ ଘଣ୍ଟିଆ ପାୱର କଟ୍ ଘୋଷଣା କରିଛନ୍ତି । ଯାହାକୁ ବିରୋଧ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ନଜର ପକାନ୍ତୁ ଶ୍ରୀଲଙ୍କାରେ ଦରଦାମ କେମିତି ରହିଛି ।
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ
– ୩୦ ପ୍ରତିଶତ ମହଙ୍ଗା ହେଲାଣି ଔଷଧ
– ପେଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ
– ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି
– ଚାଉଳ କିଲୋ ୫ ଶହ ଟଙ୍କାରେ ପହଞ୍ଚିଛି
– ଚିନି କିଲୋ ୨୯୦ ଟଙ୍କାରେ ମିଳୁଛି
– ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’
– ଏଲପିଜି ସିଲିଣ୍ଡର ଦର ୪ ହଜାର ୧୧୯ ଟଙ୍କା

ଶ୍ରୀଲଙ୍କା ଏପରି ସ୍ଥିତିର ସାମ୍ନା କରିବାର ପ୍ରଥମ କାରଣ ଆର୍ଥିକ ସଙ୍କଟ । ବିଦେଶୀ ରୁଣ ବୋଝ ଏତେ ମାତ୍ରାରେ ବଢିଯାଇଛି ଯେ, ରୁଣ ସୁଝିବାକୁ ରାଜପକ୍ଷେ ସରକାରଙ୍କ ପାଖରେ ଅର୍ଥ ନାହିଁ ।

ନଜର ପକାନ୍ତୁ କାହିଁକି ଆର୍ଥିକ ସଙ୍କଟ ଦେଖାଦେଲା ।

ଆର୍ଥିକ ସଙ୍କଟ କାହିଁକି ?
– ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ
– କରୋନା ବେଳେ ପର୍ଯ୍ୟଟନ ଶିଳ୍ପ ଠପ୍
– ଦେଶର ଆନ୍ତର୍ଜାତିକ ଋଣ ବୃଦ୍ଧି ପାଇ ୭ ଶହ କୋଟି ଡଲାରରେ ପହଞ୍ଚିଛି
– ରୁଷ-ୟୁକ୍ରେନ୍ ଯୁଦ୍ଧ ଦ୍ୱାରା ଆର୍ଥିକ କ୍ଷତି ଘଟିଛି
– ମୁଦ୍ରାସ୍ଫୀତି ପ୍ରାୟ ୧୯ ପ୍ରତିଶତ
– ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି

ଶ୍ରୀଲଙ୍କାର କିଛି ଲୋକ ଏବେ ତାମିଲନାଡୁ ପଳାଇ ଆସୁଛନ୍ତି ତ ଆଉ କିଏ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ଦରଦାମ ଏମିତି ହୋଇଛି ଭାରତୀୟ ମୁଦ୍ରାରେ ତିନି ଜଣଙ୍କୁ ନେଇ ଗୋଟିଏ ପରିବାର ଚଳିବାକୁ ହେଲେ ମାସକୁ ୩୦ ହଜାର ଟଙ୍କା ଦରକାର ।

ୟୁନାଇଟେଡ ନ୍ୟାସନାଲ ପାର୍ଟିର ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘିଆ ଚେତାବନୀ ଦେବାକୁ ଯାଇ କହିଛନ୍ତି, ଶ୍ରୀଲଙ୍କାରେ ଏପରି ସଙ୍କଟ ଦୀର୍ଘ ୫ ବର୍ଷ ଯାଏଁ ଚାଲିପାରେ । ଦେଶରେ ଏପରି ସ୍ଥିତି ପାଇଁ ସେ ରାଜପକ୍ଷେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।