ଶ୍ରୀଲଙ୍କା ଜାରି ରହିଛି ଅଚଳାବସ୍ଥା: ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି

107

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସ୍ଥିତି ସୋମବାରଠୁ ଅଧିକ ବିଗିଡିବାରେ ଲାଗିଛି ।ସରକାର ସମର୍ଥକ ଓ ବିରୋଧଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ ଧରଣର ସଂର୍ଘଷ । ସରକାର ବିରୋଧୀ ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଓ କିଛି ନେତାଙ୍କ ଘରେ ନିଆଁ ଲଗାଇବା ପରେ ସ୍ଥିତି ଅଣଆୟତ ହୋଇପଡିଛି । ପୂରା ଦେଶରେ ମେ ୧୧ ପର୍ଯ୍ୟନ୍ତ କଫ୍ୟୁ ଲଗାଯାଇଛି ।

ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଇଏ ହେଉଛି ବର୍ତମାନର ଦୃୃଶ୍ୟ । ବିଭିନ୍ନ ସ୍ଥାନରେ ପୋଡାଜଳା ଓ ହିଂସକ ପ୍ରଦର୍ଶନର ଘଟଣା ଦେଖିବାକୁ ମିଳୁଛି । କେଉଁଠି ନିଆଁରେ ପୋଡି ଘର ପାଉଁଶ ତ ପୁଣି କେଉଁଠି ରାସ୍ତାରେ ଚାଲିଛି ବଡ ଧରଣର ସଂର୍ଘଷ । ଶହ ଶହ ପ୍ରଦର୍ଶନକରୀ ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ସଂର୍ଘଷରେ ଜଳୁଛି ପୂରା ଶ୍ରୀଲଙ୍କା । ଦେଶରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ପାଇଁ ଦେଶ ଏବେ ଗୃହଯୁଦ୍ଧ ଆଡକୁ ଅଗ୍ରସର ହେଉଛି ।
ସୋମବାର ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦ୍ରା ରାଜପକ୍ଷେ ଇସ୍ତଫା ଦେବା ପରେ ସ୍ଥିତି ଅଧିକ ଅଣାୟତ ହୋଇପଡିଛି । ଇସ୍ତଫାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସରକାରଙ୍କ ସମର୍ଥକ । ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବା ପରେ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ କଲମ୍ବୋରେ ବଡ ଧରଣର ସଂର୍ଘଷ ଘଟିିଛି । ତେଣୁ ବିରୋଧୀଙ୍କ ସହ ସ୍ଥାନେସ୍ଥାନେ ମୁହାଁମୁହିଁ ହେଉଥିବା ଘଟଣା ଘଟୁଛି । ସ୍ଥିତି ଏଭଳି ହୋଇଛି କି ହିଂସାର ନିଆଁରୁ ବାଦ ପଡିନି ମହିନ୍ଦା ରାଜପକ୍ଷେଙ୍କ ସରକାରୀ ଆବାସ ସହ ପୈତୃକ ବାସଭବନ । ଏଥିସହ କ୍ଷମତାସୀନ ସରକାରଙ୍କ କିଛି ନେତାଙ୍କ ଘରେ ବି ନିଆଁ ଲଗାଇଦେଇଛନ୍ତି ବିରୋଧୀ । ସେପଟେ ପୁର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସପରିବାର ସହ ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବା କୁହାଯାଉଛି ।

୭୪ବର୍ଷ ଭିତରେ ଶ୍ରୀଲଙ୍କା ସବୁଠୁ ବଡ ଖରାପ ସ୍ଥିତି ଦେଇ ଗତି କରୁଛି । ଆର୍ଥିକ ସଙ୍କଟ କ୍ରମଶ ଦେଶର ରାଜନୀତିକୁ ସମସ୍ୟା ଭିତରକୁ ଠେଲି ଦେଇଛି । ହିଂସା ଘଟଣାରେ ଏବେ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଜଣେ ସାଂସଦ ଓ ତାଙ୍କର ପିଏଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଶ୍ରୀଲଙ୍କାରେ ଫଶି ରହିଥିବା ଭାରତୀୟଙ୍କ ସହାୟତା ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି ।ଶ୍ରୀଲଙ୍କା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । ଦେଶରେ ୨ମାସରେ ଦୁଇଥର ଏମରଜେନ୍ସି ଲଗାଯାଇଥିଲେ ବି ସ୍ଥିତି ଅଧିକରୁ ଅଧିକ ଉତେଜନାପୂର୍ଣ୍ଣ ହେଉଛି ।