କନକ ବ୍ୟୁରୋ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି । ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫ ବିଲିୟନ୍ ଡଲାର (ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ୩୮,୮୪,୭୯,୭୫,୦୦,୦୦୦ଟଙ୍କା)ଋଣ ସୁଝିବାରେ ଶ୍ରୀଲଙ୍କା ଅସମର୍ଥ ବୋଲି କହି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦେଶକୁ ଦେବାଳିଆ ଘୋଷଣା କରାଯାଇଛି ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ଦେଶର ସରକାରଙ୍କ ସମେତ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ଓ ଋଣଦାତାଙ୍କ କରଜ ସୁଝିବା ପରିସ୍ଥିତିରେ ଶ୍ରୀଲଙ୍କା ନାହିଁ । ଗଚ୍ଛିତ ବିଦେଶ ମୁଦ୍ରା ଶେଷ ହୋଇଯାଇଛି କହିଲେ ଚଳେ । ତେଣୁ ଋଣଦାତାମାନେ ସେମାନଙ୍କ ଅର୍ଥ ବାବଦରେ ସୁଧ ନେଇପାରିବେ କିମ୍ବା ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବେ ।
ଶ୍ରୀଲଙ୍କା ଅର୍ଥନୀତି ଭୁଷୁଡି ପଡିଛି । ଫଳରେ ଋଣଦାତାମାନେ ଏହି ମୁଦ୍ରାରେ ମଧ୍ୟ ନିଜ ନିଜ ଅର୍ଥ ଫେରିପାଇବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଦେଶରେ ଖାଦ୍ୟ, ଇନ୍ଧନ ଆଦି ଆବଶ୍ୟତକତା ପୂରଣ ନିମନ୍ତେ ବାହାରୁ ଅଧିକ ଋଣ ଆଣିବା ଉପରେ ଇଣ୍ଡରନ୍ୟାସନାଲ ରେଟିଂ ଏଜେନ୍ସିଗୁଡିକୁ ଶ୍ରୀଲଙ୍କା ଉପରେ କଟକଣା ଲଗାଇଥିଲେ । ଋଣ ସୁଝିବା ପାଇଁ ଶ୍ରୀଲଙ୍କା , ଚାଇନା ଓ ଭାରତ ଠାରୁ ସହାୟତା ଆଶା କରିଥିଲା । କିନ୍ତୁ ଉଭୟ ରାଷ୍ଟ୍ର ସେମାନଙ୍କ ଠାରୁ ସାମଗ୍ରୀ କିଣିବାକୁ ଅଧିକ କ୍ରେଡିଟ୍ ଲାଇନ୍ ଅଫର କରିଥିଲେ । ଆକଳନ ଅନୂୁସାରେ , ଗତ ମାର୍ଚ୍ଚ ଶେଷ ସୁଦ୍ଧା ଶ୍ରୀଲଙ୍କା ନିକଟରେ ମାତ୍ର ୧.୯ ବିଲିୟନ ଡଲାର ଥିବାବେଳେ ଏହି ଦେଶକୁ ଚଳିତ ବର୍ଷ ପ୍ରଖାପାଖି ୭ ବିଲିଅନ୍ ଡଲାର ସୁଝିବାକୁ ଥିବା ।
୧୯୪୮ ମସିହା ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କାରେ ଏହା ହେଉଛି ସବୁଠାରୁ ବଡ ଆର୍ଥିକ ସଙ୍କଟ । ଫଳରେ ଦେଶରେ ପ୍ରାୟ ୨.୨ କୋଟି ଲୋକେ ଏବେ ଉକ୍ରଟ ସମସ୍ୟା ଭିତରେ ଦିନ କାଟୁଛନ୍ତି । ସୁନାର ଶ୍ରୀଲଙ୍କା ଶ୍ରୀହୀନ ପାଲଟିଯାଇଛି ।