ହାଇଭୋଲଟେଜ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ-ବାଙ୍ଗାଲୋର । ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ବିରାଟଙ୍କ ବାଙ୍ଗାଲୋର, ବିଜୟ ଆଶାରେ ହାଇଦ୍ରାବାଦ ।

167

କନକ ବ୍ୟୁରୋ : ଆଇପିଏଲ୍‌ରେ ବୁଧବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ବିଜେତା ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିବା ବିରାଟ କୋହଲିଙ୍କ ଦଳ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଡେଭିଡ୍‌ ୱାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ନିଜ ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିବାରୁ ବୁଧବାର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ।

ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ବିରାଟ କୋହଲିଙ୍କ ଦଳକୁ ପ୍ରତିଭାବାନ ଦେବଦତ୍ତ ପାଡିକଲଙ୍କ ପ୍ରତ୍ୟାବର୍ତନ ବାଟ ଫିଟିଛି। କୋଭିଡ୍‌-୧୯ ସଂକ୍ରମଣରୁ ପାଡିକଲ ମୁକ୍ତ ହୋଇ ଫେରିଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରେ ଦଳ ସ୍ଥାନ ଦେବ କି ନାଁ ଦେଖିବାର ଅଛି। ଗତବର୍ଷ ପଦାର୍ପଣ ଋତୁରେ ୫ ଅର୍ଦ୍ଧଶତକ ସହ ଚମତ୍କାର ପ୍ରଦର୍ଶନ କରିଥିବା ପଡିକଲ୍‌ ନିଜେ ମଧ୍ୟ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି‌ ଘୋଷଣା କରି ସାରିଛନ୍ତି। ପାଡିକଲଙ୍କୁ ଚୂଡାନ୍ତ ଏକାଦଶକୁ ନ ଆଣିଲେ ଆରସିବି ପାଇଁ ବିରାଟ କୋହଲି ଏବଂ ୱାସିଂଟନ୍ ସୁନ୍ଦର ପୁଣି ପାଳି ଆରମ୍ଭ କରିବେ। ଦଳ ମଧ୍ୟ ମହମ୍ମଦ ଆଝାରୁଦ୍ଦିନ୍‌ କିମ୍ବା ଅଷ୍ଟ୍ରେଲିଆ ଲେଗ୍‌ ସ୍ପିନର୍‌ ଆଦାମ ଜାମ୍ପାଙ୍କୁ ଆଗାମି ମ୍ୟାଚରେ ଖେଳାଇବା ସମ୍ଭାବନା ରହିଛି। ଆରସିବି କିନ୍ତୁ ବୁଧବାର ମ୍ୟାଚରେ ବିରାଟ କୋହଲି, ଏବି ଡି’ଭିଲିୟର୍ସ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରେ ନିର୍ଭର କରିବ। ପଞ୍ଜାବରୁ ଆସି ଆରସିବିରେ ଯୋଗ ଦେଇଥିବା ମ୍ୟାକ୍ସୱେଲ୍‌ ପ୍ରଥମ ମ୍ୟାଚରେ ଭଲ ଖେଳିଥିଲେ। ପ୍ରଥମ ମ୍ୟାଚ୍‌ ବିଫଳତା ପରେ ରଜତ ପଟିଦାର ଓ ୱାସିଂଟନ୍ ସୁନ୍ଦର ଏସଆରଏଚ୍‌ ବିପକ୍ଷରେ ପ୍ରଭାବ ଛାଡ଼ିବା ଆଶା ରଖିଛନ୍ତି। ପ୍ରଥମ ମ୍ୟାଚରେ ଆର୍‌ସିବିକୁ ଜିତାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ହର୍ଷଲ ପଟେଲ୍ ଏବଂ ଏବି ଡି’ଭିଲିୟର୍ସ। ହର୍ଷଲ ପଟେଲ୍‌ ନିଜ ଶ୍ରେଷ୍ଠ ଟି-୨୦ ବୋଲିଂ ଚିତ୍ର ସହ ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ। ଏବିଡିଙ୍କ ବିସ୍ଫୋରକ ପାଳି କାରଣରୁ ଦଳ ପଶ୍ଚାତଧାବନରେ ସଫଳ ହୋଇଥିଲା।

ଅନ୍ୟପକ୍ଷରେ ହାଇଦ୍ରାବାଦ ପାଇଁ ଚିନ୍ତାର କାରଣ ହୋଇଛି ପ୍ରାରମ୍ଭିକ ଯୋଡ଼ିଙ୍କ ବିଫଳତା। ପ୍ରଥମ ମ୍ୟାଚରେ ଉଭୟ ଋଦ୍ଧିମାନ ସାହା ଓ ଡେଭିଡ୍‌ ୱାର୍ନର ବିଫଳ ହୋଇଥିଲେ। ଆରସିବି ବିପକ୍ଷରେ ୱାର୍ନର ପାଖାପାଖି ୬୦୦ ରନ୍ ସ୍କୋର୍‌ କରିଥିବାରୁ ଏହାକୁ ଆଗକୁ ନେବାକୁ ଚେଷ୍ଟା କରିବେ। ଜନି ବେୟାରଷ୍ଟୋ ଏବଂ ମନୀଷ ପାଣ୍ଡେ କିନ୍ତୁ ନିରାଶ କରିନଥିବାରୁ ଦଳର ଶୀର୍ଷକ୍ରମ ଭଲ ରହିଛି। ମ୍ୟାଚ୍‌ ଫିଟନେସ୍‌ ସ୍ତରକୁ ଆସିନଥିବାରୁ କେନ୍‌ ୱିଲିୟମସନ୍‌ ଖେଳିବା ସମ୍ଭାବନା କମ୍‌ ବୋଲି ପ୍ରଶିକ୍ଷକ ଟ୍ରେଭର ବେଲିସ୍‌ ସୂଚନା ଦେଇଛନ୍ତି। ଭୁବନେଶ୍ବର କୁମାର, ରସିଦ୍‌ ଖାନ୍‌, ମହମ୍ମଦ ନବିଙ୍କ ଉପରେ ଦଳର ବୋଲିଂ ଭାର ନିର୍ଭର କରୁଛି ।