ଇଂଲଣ୍ଡକୁ ବିଶ୍ୱବିଜୟୀ କରିଥିବା ବେନ୍ ଷ୍ଟୋକ୍ସଙ୍କୁ ଭାରତୀୟ କ୍ରିକେଟର ଶ୍ରୀସନ୍ଥଙ୍କ ଚେତାବନୀ । ଧୋନି ସବୁ ମନେ ରଖନ୍ତି, ମାହି ଭାଇଙ୍କ ବିପକ୍ଷରେ ବୋଲିଂ ନ କରିବାକୁ ପ୍ରାର୍ଥନା କର ନଚେତ ଶେଷ ହୋଇଯିବ କ୍ରିକେଟ କ୍ୟାରିୟର । 

1,075

୨୦୧୯ ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିବା ବେନ୍ ଷ୍ଟୋକ୍ସଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥ । ୨୦୧୯ ବିଶ୍ୱକପ ଜିତିବା ପାଇଁ ଧୋନି ସେଭଳି ଆଗ୍ରହ ଦେଖାଇନଥିଲେ । ନିଜ ବହିରେ ଷ୍ଟୋକ୍ସ ଏଭଳି କିଛି କହିବା ପରେ ମୁହଁ ଖୋଲିଛନ୍ତି ଶ୍ରୀସନ୍ଥ । ଇଂଲଣ୍ଡର ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ଚେତାବନୀ ଦେଇ ଶ୍ରୀସନ୍ଥ କହିଛନ୍ତି, ଷ୍ଟୋକ୍ସ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଦରକାର ଯେ, ଧୋନି ତାଙ୍କ ବିପକ୍ଷରେ ଆଉ ନ ଖେଳନ୍ତୁ । ନଚେତ ଧୋନି ତାଙ୍କ କ୍ୟାରିୟର ଶେଷ କରିଦେବେ ।

ଏକ ଲାଇଭ ଚାଟ୍ ସମୟରେ ଶ୍ରୀସନ୍ଥ କହିଛନ୍ତି, ଧୋନି ଭାଇ କିଛି ଭୁଲନ୍ତି ନାହିଁ । ଯଦି ଆଇପିଏଲ କିମ୍ବା ଭାରତ-ଇଂଲଣ୍ଡ ମ୍ୟାଚରେ ଧୋନିଙ୍କୁ ଷ୍ଟୋକ୍ସ ବୋଲିଂ କରନ୍ତି ତେବେ ମାହି ଭାଇ ତାଙ୍କ କ୍ୟାରିୟର ଶେଷ କରିଦେବେ । ତେଣୁ ଧୋନି ତାଙ୍କ ବିପକ୍ଷରେ ଆଉ ଯେପରି ନ ଖେଳନ୍ତୁ ସେଥିପାଇଁ ଷ୍ଟୋକ୍ସ ପ୍ରାର୍ଥନା କରିବା ଉଚିତ । ଏପରିକି ଶ୍ରୀସନ୍ଥ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଷ୍ଟୋକ୍ସ ଯେତେବଡ ଅଲରାଉଣ୍ଡର ହୁଅନ୍ତୁ ନା କାହିଁକି ଧୋନି ଭାଇଙ୍କୁ କେବେ ଆଉଟ କରିପାରିବେ ନାହିଁ । ଏହାଛଡା ଷ୍ଟୋକ୍ସଙ୍କୁ ସେ ବୋଲିଂ କରିବାକୁ ଚାହାଁନ୍ତି ଓ ଧୋନି ଭାଇଙ୍କୁ ନେଇ ଷ୍ଟୋକ୍ସ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାର ଜବାବ ଦେବି ବୋଲି କହିଛନ୍ତି ଶ୍ରୀସନ୍ଥ ।

କିଛିଦିନ ପୂର୍ବେ ଷ୍ଟୋକ୍ସ କହିଥିଲେ, ୨୦୧୯ ବିଶ୍ୱକପ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଯେତେବେଳେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ ସେତେବେଳେ ମାତ୍ର ୧୧ ଓଭରରେ ୧୧୨ ରନ ଆବଶ୍ୟକ ଥିଲା । କିନ୍ତୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ପରିବର୍ତ୍ତେ  ଏକ ଏକ ରନ୍ ପାଇଁ ଧୋନି ଅଧିକ ଆତୁର ଥିଲେ । ଧୋନି-କେଦାର ପିଚରେ ଥିଲେ ମଧ୍ୟ ବଡ ସଟ୍ ଖେଳିନଥିଲେ । କିନ୍ତୁ ସେହି ସମୟରେ ଯଦି ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥାନ୍ତେ ତେବେ ଆବଶ୍ୟକୀୟ ରନ୍ ସଂଗ୍ରହ ହୋଇପାରିଥାନ୍ତା । ଧୋନି ଏହି ମ୍ୟାଚରେ ୩୧ଟି ବଲରୁ ୪୨ ରନ୍ ସଂଗ୍ରହ କରି ନଟଆଉଟ ଥିଲେ । କିନ୍ତୁ ଶେଷ ସମୟରେ ଧୋନି ବଡ ସଟ୍ ଖେଳିଥିଲେ ମଧ୍ୟ ଭାରତ ଏହି ମ୍ୟାଚରେ ପରାଜିତ ହୋଇଥିଲା ।

ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ବିଜୟୀ ହୋଇଥିଲା । ଆଉ ଏହି ଦୁଇ ବିଶ୍ୱବିଜୟୀ ଟିମରେ ଭାରତୀୟ ଦଳର ସଦସ୍ୟ ଥିଲେ ଶ୍ରୀସନ୍ଥ । ତେଣୁ ଧୋନିଙ୍କ ପ୍ରଦର୍ଶନକୁ ନେଇ ଯେତେବେଳେ ଷ୍ଟୋକ୍ସ ପ୍ରଶ୍ନ ଉଠାଇଛନ୍ତି ସେତେବେଳେ ଏହାର ଜବାବ ଦେବାକୁ ଆଗେଇ ଆସିଛନ୍ତି ଶ୍ରୀସନ୍ଥ ।