ମାଉସୀ ଘରୁ ବାହୁଡିଲେ ଶ୍ରୀଜିଉ, ସିଂହଦ୍ୱାର ଆଗରେ ତିନି ରଥ । ଆଜିି ଅନୁଷ୍ଠିତ ହେବ ସୁନାବେଶ : ରାଜରାଜେଶ୍ୱର ବେଶରେ ରଥ ଉପରୁ ଦର୍ଶନ ଦେବେ ଶ୍ରୀଜିଉ, ଅପରାହ୍ନ ୪ଟାରୁ ସୁନାବେଶ

281

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ସୁନା ବେଶ । ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କ ତିନି ରଥ ସିଂହଦ୍ୱାର ଆଗରେ ଲାଗି ସାରିଛି । ଆଜି ରଥ ଉପରେ ଶ୍ରୀଜିଉଙ୍କ ହେବ ସୁନା ବେଶ । ଏହି ବେଶରେ ମହାପ୍ରଭୁ ପ୍ରାୟ ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେବେ । ମହାପ୍ରଭୁଙ୍କର ଏହି ବେଶକୁ ରାଜ ରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଅପରାହ୍ନ ୪ଟାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ପବିତ୍ର ସୁନା ବେଶ । ସୁନାବେଶ ଦର୍ଶନ ଅପରାହ୍ନ ୪ଟାରୁ ରାତି ୧୧ ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଶୀଗୁଣ୍ଡିଚା ଓ ବାହୁଡା ଯାତ୍ରା ଭଳି ଆଜି ମଧ୍ୟ ବଡଦାଣ୍ଡକୁ କେହି ଭକ୍ତ ଆସିବେନି ।

ଘରେ ବସି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କ ଏହି ଦୁଲର୍ଭ ବେଶ ଦେଖିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ବର୍ଷକୁ ୪ ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ମନ୍ଦିର ଭିତରେ ତିନୋଟି ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବାହୁଡା ଯାତ୍ରାରେ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ଆଡକାନି, ଘାଘରାମାଳି, କିରିଟି, ବାଘ ନଖ, ପାନପତିରି ପରି ସୁବର୍ଣ୍ଣ ଧାତୁରେ ମଣ୍ଡିତ ହେବେ ଶ୍ରୀଜିଉ । ମହାପ୍ରଭୁଙ୍କ ସୁନାବେଶ ସମୟରେ ସୁନା ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ , ରୂପାରେ ତିଆରି ପଂଚଜନ୍ୟ ଶଙ୍ଖକୁ ଧାରଣ କରିଥାନ୍ତି । ଆଜି ସୁନା ବେଶ ସରିବା ପରେ ଆସନ୍ତାକାଲି ଅଧରପଣା ନୀତି ଓ ୪ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।