ସେପ୍ଟେମ୍ବର ୨୧ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା । ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । 

269

କନକ ବ୍ୟୁରୋ: ସେପ୍ଟେମ୍ବର ୨୧ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଏଥିପାଇଁ ଆସନ୍ତାକାଲି ଯାଏଁ ୧୨ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏଥିସହିତ ଏସଆରସି ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ସତର୍କ କରାଇଛନ୍ତି । ସେହିପରି ୨୦ତାରିଖରେ ୮ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ ବର୍ଷା ହେବ । ବାଲେଶ୍ୱର, ମୟୂରଭଞ୍ଜ ଏବଂ ଭଦ୍ରକରେ ଏହି ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ସମୟରେ ଦକ୍ଷିଣ ଓଡିଶାରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।  ତାସହିତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷା ହେବ । ଯେଉଁ କାରଣରୁ ଏହି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆସନ୍ତା ୫ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ।

ସେପଟେ ବର୍ଷା ସମ୍ଭାବନା ଥିବାରୁ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ତା ସହିତ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପମାନ ଗ୍ରହଣ କରିବାକୁ କୁହାଯାଇଛି ।