ରାଜ୍ୟର ଏହି ଜିଲ୍ଲାମାନଙ୍କରେ ହେବ ପ୍ରବଳ ବର୍ଷା । ଚିଠି ଲେଖି ସତର୍କ କରାଇଲେ ଏସଆରସି।

683

କନକ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଶନିବାର ସକାଳେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଧୀରେଧୀରେ ଅଧିକ ଘନୀଭୂତ ହୋଇ ଅବପା‌ତରେ ପରିଣତ ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳ ଉପରେ ଏହା ଅବପାତର ରୂପ ନେବ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପୁରୀ, ‌ଖୋର୍ଧା‌, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା‌, ଢ଼େଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୬ଟି ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ , କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଦିଆଯାଇଛି ।  ତେବେ ୮ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ମୟୁରଭଞ୍ଜ ଏବଂ ବାଲେଶ୍ୱରକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ତେବେ ବର୍ଷା ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି) ଚିଠି ଲେଖିଛନ୍ତି। ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ହେବ। ରେଡ୍, ଅରେଞ୍ଜ ଓ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ହେବ। ଏଥିସହିତ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି । ଏହାସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ମଧ୍ୟ ଉପୁଜିପାରେ। ଏଥିପ୍ରତି ନଜର ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏହି ସମୟରେ ସମୁଦ୍ର ଭିତରକୁ ମତ୍ସଜୀବୀମାନଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ସହିତ  ବିଡିଓ, ତହସିଲଦାର ଏବଂ ଗ୍ରାମ ଉନ୍ନୟନ ବିଭାଗର କର୍ମଚ‌ାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଅଯାଇଛି। ଏଥିସସହିତ ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାଘାଟ ମରାମତି ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି।