କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଫୁଲିଛି ମହାନଦୀ। ଆଉ ତଳିଆ ଅଂଚଳରେ ଥିବା ଗାଁ ଗଣ୍ଡା, ଜମିରେ ପାଣି ପଶିଛି। ଏ ହେଉଛି ତିନି ସ୍ଥାନର ଚିତ୍ର । କଟକ ଜିଲ୍ଲା ବାଙ୍କିର ବିଲିପଡାରୁ ତାଳବସ୍ତା ରାସ୍ତାରେ ୪ ଫୁଟର ବନ୍ୟା ପାଣି ଚାଲିଛି। ହେକ୍ଟର ହେକ୍ଟର ଜମିରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ହେଉଛି ଆଠଗଡର ଚିତ୍ର । ସୋମପଡାରୁ ଖଣ୍ଡହତା ଗାଁକୁ ସଂଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି । ପିପିଲି କଣାସରେ ବି ସମାନ ସ୍ଥିତି । ୪ଟି ପଂଚାୟତରେ ଥିବା ଜମିରେ ପାଣି ମାଡିଯିବାରୁ ଚିନ୍ତାରେ ଚାଷୀ ।

Advertisment

ହୀରାକୁଦ ଜଳଭଣ୍ଡାରର ମୋଟ୍ ୧୪ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଅପରାହ୍ନ ୪ଟା ସୁଦ୍ଧା ୨ ଲକ୍ଷ ୭୪ ହଜାର ୩୨୬ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୨ ଲକ୍ଷ ୫୦ ହଜାର ୨୫୫ ଫୁଟ କ୍ୟୁସେକ ଜଳ । ଫଳରେ ତଳିଆ ଅଞ୍ଚଳରେ ଚାଷ ଜମି ବୁଡିବା ସହିତ ଗାଁରେ ମଧ୍ୟ ପାଣି ପଶିଛି । କିନ୍ତୁ ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ତଳିଆ ଅଞ୍ଚଳକୁ ପଣି ଆସିଥିବାରୁ ଲୋକଙ୍କ ଉପରେ ନଜର ରଖିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି। ପୋଲ ତଳେ ପାଣି ପ୍ରବାହିତ ହେଉଥିଲେ ଯାତାୟାତ ନକରିବାକୁ ସତର୍କ କରାଯାଇଛି।