ଅମଳ ଫସଲ ସୁରକ୍ଷିତ ରଖନ୍ତୁ, ସମୁଦ୍ରରୁ ମତ୍ସ୍ୟଜୀବୀ ଫେରିଆସନ୍ତୁ… ବାତ୍ୟା ନେଇ ଏସଆରସିଙ୍କ ସୂଚନା

358

କନକ ବ୍ୟୁରୋ: ଆସୁଛି ବାତ୍ୟା । ସାମୁଦ୍ରିକ ଝଡ ଜୱାଦ ନେଇ ଏସଆରସି ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆସନ୍ତା ଦୁଇ ଦିନ ଭିତରେ ବାତ୍ୟାର ରୂପ ନେଇପାରେ । ୨ ତାରିଖ ବେଳକୁ ତାହା ଅବପାତର ରୂପ ନେବ । ୩ ତାରିଖ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ଏବଂ ଏହା ଉତ୍ତର – ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଉପକୂଳ ଆଡକୁ ମୁହାଁଇବ । ଏଥିସହ ୪ ତାରିଖ ଦିନ ସକାଳେ ସ୍ଥଳଭାଗ ଛୁଇଁପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ରହିବ ତାହା ସ୍ପଷ୍ଟ ହୋଇନାହିଁ । ବାତ୍ୟା କେଉଁଠାରେ, କେତେବେଳେ, କେଉଁ ସମୟରେ ସ୍ଥଳଭାଗ ଛୁଇଁବ ତାହା ଜଣାପଡିନି । ସତର୍କତାମୂଳକ ପଦକ୍ଷେପ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କୁ ସତର୍କ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ୨ରୁ ବର୍ଷା ଆରମ୍ଭ ହେବ, ୩ରୁ ୪ ତାରିଖରେ ପ୍ରବଳ ବର୍ଷା ହୋଇପାରେ ।

ବାତ୍ୟା ନେଇ ଉପକୂଳ ଜିଲ୍ଲାମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ପାଇଁ ପରାମର୍ଶ ଦିଆଯାଇଛି । ମତ୍ସ୍ୟ ଓ କୃଷି ବିଭାଗ ସହ ସମସ୍ତ ବିଭାଗକୁ ସତର୍କ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଝିରୁ ଫେରି ଆସିବାକୁ ଅନୁରୋଧ । ଯେଉଁମାନେ ଯାଇଛନ୍ତି ସେମାନେ ତୁରନ୍ତ ଫେରିଆସନ୍ତୁ । ୧ ତାରିଖ ପରେ ସମୁଦ୍ର ଭିତରକୁ ଯିବା ମନା ।

ସେହିପରି କୃଷକଙ୍କ ପାଇଁ ଜରୁରୀ ସୂଚନା ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରିବା ସହ ଅମଳ ଫସଲକୁ ଶୀଘ୍ର କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । କଟାଯାଇଥିବା ଧାନ ଖଳାରେ ଥିଲେ ତାକୁ ଘୋଡେଇ ରଖନ୍ତୁ । ମାଇକ ମାଧ୍ୟମରେ କୃଷକଙ୍କୁ ସତର୍କ କରାଇବାକୁ ପରାମର୍ଶ ଦିଆଯାଇଛି ।