କୋଭିଡ ଗାଇଡଲାଇନ୍ ମାନି ନୂଆଁଁଖାଇ ପାଳନ୍ତୁ । ମନ୍ଦିର ଗଲେ ଭିଡ କରନ୍ତୁ ନାହିଁ : SRC

101

କନକ ବ୍ୟୁରୋ: ଆସନ୍ତାକାଲି ପଶ୍ଚିମ ଓଡିଶାରେ ପାଳନ ହେବ ଗଣପର୍ବ ନୂଆଁଖାଇ । ଯେଉଁଥିପାଇଁ ଏବେଠୁ ଉତ୍ସବ ମୁଖର ହେଲେଣି ପଶ୍ଚିମ ଓଡିଶାବାସୀ । ହେଲେ ଏହାପୂର୍ବରୁ ସଂକ୍ରମଣକୁ ଦୃଷ୍ଟିରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟର ସ୍ପେଶାଲ ରିଲିଫ୍ କମିଶନର । ପ୍ରେସମିଟ୍ କରି ସେ କହିଛନ୍ତି, ଏବେ ବି ଦ୍ୱିତୀୟ ଲହର ଶେଷ ହୋଇନି । ତେଣୁ କୋଭିଡ୍ ଗାଇଡଲାଇନ୍ ପାଳନ କରି ସମସ୍ତେ ନୂଆଁଖାଇ ପାଳନ କରନ୍ତୁ । ତତସହିତ ପୂଜାର୍ଚ୍ଚନା ପାଇଁ ମନ୍ଦିର ଗଲେ ବି ସେଠାରେ ଅଯଥାରେ ଭିଡ ନକରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

ଏଥିସହିତ ଏସଆରସି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ସଂକ୍ରମଣ କମିବାରେ ଲାଗିଛି । ତା ସହିତ ରାଜ୍ୟରେ ମଧ୍ୟ ଏବେ ସଂକ୍ରମଣର ଗ୍ରାଫ୍ ତଳମୁହାଁ ହୋଇଛି । ଦ୍ୱିତୀୟ ଲହର ସମୟରେ ଲକଡାଉନ୍ ହେତୁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହି ସମୟ ପୁଣି ଲେଉଟୁ ବୋଲି କେହି ବି ଚାହୁଁନାହାଁନ୍ତି । ତେଣୁ ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ କରି ପର୍ବପର୍ବାଣୀ ପାଳନ କଲେ ସଂକ୍ରମଣ ବଢିବ ନାହିଁ ବୋଲି ଏସଆରସି କହିଛନ୍ତି ।

ଅନ୍ୟପଟେ ଓନାମ ପର୍ବ ପାଳନ ପରେ କେରଳରେ ସଂକ୍ରମଣ ବଢିଛି । ତା ସହିତ କୁମ୍ଭମେଳା ମଧ୍ୟ ସଂକ୍ରମଣ ବୃଦ୍ଧିର କାରଣ ପାଲଟିଥିଲା । ତେଣୁ ପାର୍ବଣକୁ ଦୃଷ୍ଟିରେ ରଖି ସରକାର ଅଗଷ୍ଟ ୯ ତାରିଖରେ ଗାଇଡଲାଇନ୍ ଧାର୍ଯ୍ୟ କରିଥିଲେ । ଏହି ଗାଇଡଲାଇନକୁ ନେଇ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ , ସଂକ୍ରମଣ ଯେଭଳି ନ ବଢିବ ସେଥିପାଇଁ ସରକାର ଏହି ଗାଇଡଲାଇନ୍ ଆଣିଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି ।