ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । ଲକଡାଉନ ପୂର୍ବରୁ ଅସମ୍ଭାଳ ଭିଡ ଦେଖି ଲୋକଙ୍କୁ ଏସଆରସିଙ୍କ ଅନୁରୋଧ ।

507

କନକ ବ୍ୟୁରୋ: ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଦୋକାନ ଆଗରେ ଭିଡ କରନ୍ତୁନାହିଁ କି ଗହଳି କରି ନିଜ ଜୀବନ ସହ ପରିବାରର ଜୀବନକୁ ବିପଦରେ ପକାନ୍ତୁ ନାହିଁ । ବୁଧବାର ଦିନ ସାରା ରାଜ୍ୟରେ ଲକଡାଉନ ଲାଗୁଥିବାରୁ ଏହା ପୂର୍ବରୁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ଏସଆରସି ।

ବୁଧବାର ତାଲାବନ୍ଦ ଥିବାରୁ କାଳେ ଜିନିଷପତ୍ର ନମିଳିବ ସେହି ଆଶଙ୍କାରେ ଆଜି ସକାଳ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜାର ହାଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ପରିବା ଦୋକାନ ଠାରୁ, ଗ୍ରୋସରୀ ଦୋକାନ ସବୁଠି ଲୋକ ଲାଇନ ଲଗାଇ ସଉଦା ବୋହି ନେଇଥିଲେ । ୧୫ ଦିନ ପାଇଁ ସାମଗ୍ରୀ କିଣିବାକୁ ଲୋକେ ପ୍ରସ୍ତୁତ ହୋଇ ଆସିଥିଲେ । କରୋନା କାଳରେ ଏହି ଭିଡ ଏକ ବିପଦର ଆଶଙ୍କାକୁ ଇସାରା କରୁଥିଲା । ତେବେ ଏବି ଭିଡ ଓ ଗହଳିର ଚିତ୍ର ସାରା ରାଜ୍ୟରୁ ଆସିବା ପରେ ରାଜ୍ୟବାସୀଙ୍କୁ ଏସଆରସି ଗହଳି ନକରିବାକୁ ଅନୁରୋଧ କରିଛନ୍ତି ।

ଏସଆରସି କହିଛନ୍ତି ବୁଧବାର ଲକଡାଉନ ପାଇଁ ଆଜିଠୁ ପ୍ରବଳ ଗହଳି ହେଉଛି । ଲୋକଙ୍କୁ ଅନୁରୋଧ ଦୋକାନ ଆଗରେ ଭିଡ କରନ୍ତୁନି । ସୋମବାର, ମଙ୍ଗଳବାର ଏହି ଦୁଇ ଦିନ ଦୋକାନ ଆଗରେ ଗହଳି କରନ୍ତୁନି । ଗହଳି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ରହିଛି । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଜିନିଷ ଅଛି । ଅଯଥା ଗହଳି ସ୍ଥାନକୁ ଯାଆନ୍ତୁନି, ବିପଦକୁ ଡାକନ୍ତୁନି । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ । ସୋମବାରରୁ ଶୁକ୍ରବାର ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଖୋଲା ରହିବ । ମାତ୍ର ସବୁ ଶନିବାର, ରବିବାର ସଟଡାଉନ ରହିବ । ଅତି ଜରୁରୀ ନହେଲେ ଲକଡାଉନରେ ବାହାରକୁ ଯାଆନ୍ତୁନି । କୋଭିଡ ଟେଷ୍ଟ, ଟୀକା ନେବାକୁ ଗଲେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି କହିଛନ୍ତି ଏସଆରସି ।