ସାମୁଦ୍ରିକ ବାତ୍ୟା ଫୋନକୁ ନେଇ ଏସଆରସିଙ୍କ ସୂଚନା: ୨ ତାରିଖରୁ ଆରମ୍ଭ ହେବ ବର୍ଷା, କାଲି ସଂଧ୍ୟା ସୁଦ୍ଧା ଲୋକଙ୍କୁ ନିରାପଦ ସ୍ଥାନକୁ କରାଯିବ ସ୍ଥାନାନ୍ତର

202

କନକ ବ୍ୟୁରୋ: ସିଭିୟର ଏକ୍ସ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ ହୋଇସାରିଛି ଫୋନି । ଏହା ଆଗକୁ ଆହୁରି ଘନିଭୁତ ହେବା ନେଇ ସମ୍ଭାବନା ରହିଛି । ବର୍ତ୍ତମାନ ଫୋନି ପୁରୀଠାରୁ ୬୮୦ କିଲୋମଟର ଦୂରରେ କେନ୍ଦ୍ରିଭୁତ ହେଉଛି ଏବଂ ୩ତାରିଖ ଅପରାହ୍ଣରେ ପୁରୀରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ସାମୁଦ୍ରିକ ଝଡ ଫୋନିକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଏସଆରସି ।

ଏସଆରସି ବିଷ୍ଣୁପ୍ରଦ ସେଠୀଙ୍କ ସୂଚନା ମୁତାବକ, ସାମୁଦ୍ରିକ ଝଡ ଫୋନି ସାତପଡା ଏବଂ ବାଲୁଖଣ୍ଡ ମଧ୍ୟରେ କୌଣସି ବି ଜାଗାରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରସାଶନ ପକ୍ଷରୁ ବର୍ତମାନ ସମସ୍ତ ପ୍ରସ୍ତୁତି ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି । ଏସଆରସିଙ୍କ କହିବାନୁସାରେ, ସାମୁଦ୍ରିକ ଝଡ ଫୋନି ପୁରୀରେ ଲାଣ୍ଡଫଲ କରିବା ପରେ ଏହା ଖୋର୍ଧା, କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଦେଇ ଏହା ପଶ୍ଚିମବଙ୍ଗ ଯିବ । ତେବେ ଆଇଏମଡିର ଆକଳନ ଅନୁସାରେ, ବାତ୍ୟା ଯୋଗୁଁ ୨ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଗଂଜାମ, ଗଜପତି, ଖୋର୍ଧା, ଜଗତସିଂହପୁର,କେନ୍ଦ୍ରାପଡା, ଯାଜପୁର , ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ଏନେଇ ଅଧିକ ସତର୍କ ରହିବାକୁ ନିର୍ଦଶ ଦିଆଯାଇଛି ।

କାରଣ ଏହି ସବୁ ଜିଲ୍ଲା ଗୁଡିକରେ ସାମୁଦ୍ରିକ ବାତ୍ୟା ଫୋନୀର ଅଧିକ ପ୍ରଭାବ ପଡିପାରେ । ସେହିପରି ରାଜ୍ୟର ୧୦ ଜିଲ୍ଲାରେ ଏହାର ପ୍ରଭାବରୁ ଅଧିକ ବର୍ଷା ହେବ । ରାୟଗଡା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ସମ୍ଭଲପୁର, ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଏସଆରସି ।ସେହିପରି ଜଳବନ୍ଦୀ ଅଂଚଳ ଗୁଡିକରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟ ସ୍ଥଳର ସମସ୍ତ କାର୍ଯ୍ୟ ବିଡିଓଙ୍କ ନିୟନ୍ତ୍ରଣରେ ହେବ । ଆବଶ୍ୟକ ସ୍ଥଳରେ ଏୟାର ଡ୍ରପିଂ ପାଇଁ ୨ଟି ହେଲିକପ୍ଟର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଏସଆରସି ।

ତେବେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହେବା ନେଇ ସମ୍ଭାବନା ରହିଥିବାରୁ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜୋରଦାର କରାଯିବ । ସେହିଭଳି ଓଡ୍ରାଫର ୨୦ଟି ଟିମ୍, ଏନଡିଆରଏଫର ୨୮ଟି ଟିମଙ୍କୁ ଏଥିପାଇଁ ମୁତୟନ କରାଯାଇଛି । ତେବେ ଫୋନିକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀରୁ ସମସ୍ତ ପର୍ଯ୍ୟଟକଙ୍କୁ ଖାଲି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ତେବେ ଜିଲ୍ଲା ପ୍ରଶାସନ ସମୁଦ୍ର ଉପକୂଳ ଉପରେ ଅଧିକ ନଜର ରଖିଛି । ସମୁଦ୍ର ଅଶାନ୍ତ ରହିବା ସହ ଅଧିକ ଉଚ୍ଚ ଜୁଆର ଉଠିବା ସଂଭାବନା ଥିବାରୁ ସମୁଦ୍ର ଉପକୂଳରେ ଅଧିକ ନଜର ରଖାଯାଇଛି ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।