ଓଡିଶା ଛୁଇଁବନି ‘ବୁଲବୁଲ’: ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇ ଯିବ ବାତ୍ୟା; ଲ୍ୟାଣ୍ଡଫଲ୍ ବେଳେ ପାରାଦୀପଠୁ ୧୩୮ କିମି ଦୂରରେ ରହିବ, ପ୍ରଭାବରେ ଉତ୍ତର ଓ ଉପକୁଳ ଓଡିଶାରେ ବର୍ଷା ସମ୍ଭାବନା

1,077

କନକ ବ୍ୟୁରୋ: ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାର ରୁପ ନେଇଛି । ଆସନ୍ତା ୨୪ ଘଂଟା ଭିତରେ ଏହା ତୀବ୍ର ସାମୁଦ୍ରିକ ବାତ୍ୟାର ରୁପ ନେବ । ଏହା ଏବେ ଘଂଟା ପ୍ରତି ୫ କିଲୋମିଟର ବେଗରେ ଗତିକରି ବାଂଲାଦେଶ ଆଡକୁ ମୁହାଁଉଛି । ଏହାର ପ୍ରଭାବରେ ଓଡିଶାର କେତକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବାତ୍ୟା କିମ୍ବା ପ୍ରବଳ ବର୍ଷାର ସମ୍ଭାବନା ଓଡିଶାକୁ ନାହିଁ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାରାଦୀପ ଠାରୁ ୭୭୦ କିଲୋମିଟରରେ ଦୂରରେ ଗଭୀର ଅବପାତଟି ଘନୀଭୁତ ହୋଇଛି ।

 

ସେହିପରି ଆଣ୍ଡାମାନର ମାୟା ବନ୍ଦରର ଦକ୍ଷିଣ -ପଶ୍ଚିମ ଦିଗରେ ୪୦୦ କିଲୋମିଟର ଦୂରରେ ରହିଛି । ପଶ୍ଚିମବଙ୍ଗର ସାଗର ଦୀପାଂଚଳ ଠାରୁ ବୁଲବୁଲ ୮୫୦ କିମି ଓ ବାଂଲାଦେଶର ଖେପୁପାରା ଠାରୁ ୯୧୦କିମି ଦୂରରେ ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ସଂଧ୍ୟାରୁ ଓଡିଶା ଉପକୂଳରେ ପାଗ ମେଘୁଆ ରହିବ ଓ ସ୍ଥାନେ ସ୍ଥାନେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟା କେଉଁଠି ମାଡ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । ଏହାର ପ୍ରଭାବରେ ୧୦ ଓ ୧୧ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିବ ।