ମହାନଦୀକୁ ନାହିଁ ବିପଦ ଆଶଙ୍କା : ଏସଆରସିଙ୍କ ସୂଚନା, ଆଜି ରାତିରେ ପିକ୍ ଲେବୁଲରେ ପହଂଚିବ ସୁବର୍ଣ୍ଣରେଖା

ତଳିଆ ଅଂଚଳରେ ପଶିପାରେ ପାଣି

98

କନକ ବ୍ୟୁରୋ : ମହାନଦୀରୁ ନାହିଁ ବିପଦ ଆଶଙ୍କା । ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି, ହୀରକୁଦରେ ଜଳସ୍ତର କମୁଛି । ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳୀଠାରେ ପିକ୍ ୱାଟର ଫ୍ଲୋ ପାସ୍ କରିବ । ସାଢେ ୭ ଲକ୍ଷରୁ ୮ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହୋଇପାରେ । ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର କମିଛି । ହେଲେ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି । ଆଜି ରାତିରେ ସୁବର୍ଣ୍ଣରେଖା ପିକ୍ ଲେବଲରେ ପହଂଚିପାରେ । ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଂଚଳର କିଛି ଗାଁରେ ପାଣି ପଶିପାରେ । ଏଥିପାଇଁ ସବୁ ଟିମ୍ ସଜାଗ ରହିଛି । ପର୍ଯ୍ୟାପ୍ତ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ଏସଆରସି ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ୁଛି । ଫଳରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇର ତଳିଆ ଅଂଚଳରେ ପାଣି ପଶିବାର ଆଶଙ୍କା ରହିଛି । ସେଥିପାଇଁ ଆଗୁଆ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିବା ପାଇଁ ସତର୍କ କରାଯାଉଛି । ସାଙ୍ଗରେ ଜରୁରୀ କାଗଜ ପତ୍ର ଓ ଶୁଖିଲା ଖାଦ୍ୟ ଧରି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ଆସିବା ପାଇଁ କୁହାଯାଉଛି । ଏପରିକି ବାଲିଆପାଳ ତହସିଲଦାର ନିଜେ ଗାଁରେ ପହଂଚି ଲୋକଙ୍କୁ ସତର୍କ କରାଇବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।