ଜୀବନ ଯୁଦ୍ଧରେ ଜୀବିକା ହାରି ନଯାଉ, ଜୀବନକୁ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡିନଯାଉ…ଲକଡାଉନ ଭିତରେ ପ୍ରଥମ ଥର ପାଇଁ ଜୀବିକାକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । କହିଲେ ଜୀବନ-ଜୀବିକା ସାଥ୍ ସାଥ୍ । ଗ୍ରୀନ ଓ ଅରେଞ୍ଜ ଜୋନରେ ହୋଇପାରିବ ସବୁ କାମ

741

କନକ ବ୍ୟୁରୋ: କରୋନା ସହ ଲଢ଼େଇ ଭିତରେ ଆଜି ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । କରୋନ ସହ ଲଢ଼େଇ ପାଇଁ ସବୁକିଛି ହରାଇ ଦେବାକୁ ପ୍ରସ୍ତୁତ ହେଲା ଭଳି ଲାଗୁଥିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କିନ୍ତୁ, ଆଜି ଏହି ଆଭିମୁଖ୍ୟରେ ପରିବର୍ତ୍ତନ କରି ସରକାର କହିଛନ୍ତି, ଜୀବନ ସହ ଜୀବିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ପ୍ରେସମିଟରେ ଏସଆରସି ପ୍ରଦୀପ ଜେନା କହିଛନ୍ତି ଜୀବନକୁ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡିନଯାଉ । ଜୀବନ, ଜୀବିକା ଯୁଦ୍ଧରେ ହାରି ନଯାଉ । ତେଣୁ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି । କନଟେନମେଣ୍ଟ ଜୋନ୍ ଓ ରେଡ୍ ଜୋନର କିଛି ଅଂଶକୁ ଛାଡିଦେଲେ ଅନ୍ୟ ସବୁଠି ସମସ୍ତ କାମ ହେବ । ସମସ୍ତ କୃଷି କାମ, ଶିଳ୍ପ କାମ, ନିର୍ମାଣ କାମ ଚାଲିବ । ଶ୍ରମିକମାନେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ । ତେବେ କୌଣସି ସ୍ଥାନରେ ସେମାନଙ୍କୁ ଅଟକାଯିବନି । ଅନ୍ୟ ଜିଲ୍ଲାକୁ ଯିବାକୁ ଗାଡି ଯୋଗାଡ କରି ନପାରିଲେ ପ୍ରଶାସନ ଯୋଗାଡ କରିଦେବ ।

ତେବେ ଗାଁ ଗାଁର ବ୍ୟାରିକେଡ୍ ହଟାଯାଉ । ଶ୍ରମିକଙ୍କ ଯାତାୟାତ ପାଇଁ ପ୍ରତି ଗାଁରେ ହେଉଥିବା ବ୍ୟାରିକେଡ୍ ହଟାଯାଉ । ଯେଉଁ ଗାଁରେ ଏଭଳି କରାଯାଉଛି ତାହା ଗ୍ରହଣୀୟ ନୁହେଁ । ଉକ୍ତ କାର୍ଯ୍ୟ ଆଇନର ବାହାରେ । ତେଣୁ ଶ୍ରମିକଙ୍କୁ କେହି ଅଟକାଇ ପାରିବେନି । ଅର୍ଥନୈତିକ ଅବିବୃଦ୍ଧି ପାଇଁ ସମସ୍ତ କାମ ଚାଲୁ ରହିବ । ଗୁଜୁରାଣ ମେଣ୍ଟାଇବାକୁ ଶ୍ରମିକ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଗଲାବେଳେ କେହି ଅଟକାଇ ପାରିବେନି ବୋଲି ଏସଆରସି କହିଛନ୍ତି ।

ଲକଡାଉନ, ସଟଡାଉନ ଓ କର୍ଫ୍ୟୁ ଭଳି ପଦକ୍ଷେପ ନେଇ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଉଥିଲା । ଗତ ୨୪ ଘଂଟାରେ ସବୁଠାରୁ ଅଧିକ ସଂକ୍ରମଣ ହୋଇ ଦେଶରେ ୩ ହଜାର ୯ଶହ ଜଣ ଗୋଟିଏ ଦିନରେ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏବେ ସରକାର ଅନୁଭବ କଲେଣି , ଯେ କରୋନା ଭୟରେ ସମସ୍ତଙ୍କ ରୋଜଗାର ଓ ଚାକିରି ଗଲା ଭଳି ପରିସ୍ଥିତି ସୃଷ୍ଟି ନହେଉ ।

ଓଡିଶା ସମେତ ସାରା ଦେଶରେ ସରକାରୀ ଓ ଉଚ୍ଚପଦସ୍ଥ ଘରୋଇ ଅଧିକାରୀଙ୍କୁ ଛାଡିଦେଲେ ବାକି ସମସ୍ତେ କରୋନା ଠାରୁ ଆର୍ଥିକ ଅବସ୍ଥାର ଭୟାବହତା ଅନୁଭବ କରିବା ଆରମ୍ଭ କଲେଣି । ଏବେ ଯଦି ଆର୍ଥିକ ଗତିବିଧିକୁ ଅନୁମତି ଦିଆନଯିବ, ତେବେ ଅବସ୍ଥା ସାଂଘାତିକ ହେବ । କରୋନା ଆଗରୁ ଭୋକ ମାରିଦେବ । ଯାହା ହେଉ ବିଳମ୍ବରେ ହେଲେ ବି ସରକାର ଏକଥାର ଗୁରୁତ୍ୱ ବୁଝି ପାରିଛନ୍ତି । ବର୍ତମାନ ଅର୍ଥନୈତିକ ଗତିବିଧି ଉପରେ ଜୋରଦେଲେ ହୁଏତ ପୁଣି ସାମାନ୍ୟ ଅବସ୍ଥା ଫେରି ଆସିବ ।