ବର୍ଷା ଧୋଇଦେଲା ଚାଷୀର ବର୍ଷକ ପରିଶ୍ରମ ! ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି , ୨୫ ସୁଦ୍ଧା ବର୍ଷା କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ

34

କନକ ବ୍ୟୁରୋ: ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନ କରିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ । ଦୀର୍ଘ ୩ ଦିନ ଧରି ଲଗାଣ ବର୍ଷା ଫଳରେ କ୍ଷତି ହୋଇଥିବା ଧାନ ଜମି ସଂପର୍କରେ ଆକଳନ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସବୁ ଜିଲ୍ଲାପାଳଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି ।

ଏଥିରେ କୁହାଯାଇଛି, ବଙ୍ଗୋପସାଗରରେ ଅବପାତ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୫ରୁ ୧୭ ତାରିଖ ଯାଏ ବର୍ଷା ହୋଇଛି । ଏଭଳି ଅଦିନିଆ ବର୍ଷା ଖରିଫ ଫସଲରେ ଯଥେଷ୍ଟ କ୍ଷତି ପହଂଚାଇଛି । ଗତ ୧୬ ତାରିଖଦିନ ଭିଡିଓ କନଫରେନ୍ସିଂରେ କ୍ଷୟକ୍ଷତିର ହିସାବ ୭ ଦିନ ଭିତରେ ଦେବା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଜମିର ହିସାବ ଦେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀ ସେଠୀ ଦର୍ଶାଇଛନ୍ତି ଯେ, ଚଳିତବର୍ଷ ଚାଷୀ ମରୁଡି ଓ ପୋକ ଆକ୍ରମଣରେ ଗଭୀର ପ୍ରଭାବିତ ହୋଇଛି । ହେଲେ ବର୍ତ୍ତମାନ ଯେଉଁ ଅଦିନିଆ ବର୍ଷା ହେଲା ସେଥିରେ ୩୩ ପ୍ରତିଶତରୁ ଅଧିକ ପାଇଁ କ୍ଷତିଗ୍ରସ୍ତ ଚାଷୀ ଏସଡିଆରଏଫ୍ ଅନୁସାରେ ଇନ୍ ପୁଟ୍ ସବସିଡି ପାଇବାକୁ ହକଦାର । ଏଣୁ କେଉଁ କେଉଁ ଗାଁର ଜମି ଓ ନିର୍ଦିଷ୍ଟ କେତେ ଚାଷୀ ଅଦିନିଆ ବର୍ଷା ଯୋଗୁଁ ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଛନ୍ତି, ତାର ତାଲିକା ଆସନ୍ତା ୨୫ ତାରିଖ ସୁଦ୍ଧା ଜିଲ୍ଲାପାଳ ନିଶ୍ଚିତ ଦେବା ଦରକାର ।

ଉଲ୍ଲେଖଯୋଗ୍ୟ, ଅଦିନିଆ ବର୍ଷା ପରିମାଣରେ ପୁରୀ, ଗଞ୍ଜାମ, ଗଜପତି ଠାରୁ ଆରମ୍ଭ କରି କେନ୍ଦ୍ରାପଡା, ଜଗତସିଂହପୁର ଯାଏ ଉପକୂଳବର୍ତ୍ତୀ ପାଖାପାଖି ୧୬ଟି ଜିଲ୍ଲାରେ ଫସଲ ବ୍ୟାପକ ନଷ୍ଟ ହୋଇଛି । ବାଲୁଗାଁରେ ପାଣିରେ ଭିଜୁଛି ହେକ୍ଟର ହେକ୍ଟର ଫସଲ । ଯାଜପୁରରେ ମଧ୍ୟ ସମାନ ଅବସ୍ଥା । ଏସବୁ ଘଟଣା ଚାଷୀର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି ।