ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ ଚିଠି ଲେଖିଲେ ଏସଆରସି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ।

774

କନକ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ ଏସଆରସି ଚିଠି ଲେଖିଛନ୍ତି । ଏହାସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି । ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଦକ୍ଷିଣ ଉପକୂଳ ଓଡିଶାରେ ଅକ୍ଟୋବର ୧୧ ଓ ୧୨ ତାରିଖରେ ପ୍ରବଳ ପବନ ବହିପାରେ । ଏହି ସମୟରେ ପବନର ବେଗ ୪୫ରୁ ୫୫ କିଲୋମିଟର ବହିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି । ଏହାସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ପ୍ରତି ନଜର ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାତର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ଲଘୁଚାପର ପ୍ରଭାବ ଓଡିଶା ସହ ଆନ୍ଧ୍ରରେ ମଧ୍ୟ ପଡିବାର ସମ୍ଭାବନା ରହିଛି ।

ଆସନ୍ତା ୧୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲା ପାଇଁ  ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବା ସହ ଗୋଟିଏରୁ ୨ଟି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।