ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ : ବିଭିନ୍ନ ବିଭାଗର ସଚିବଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଆଲୋଚନା

୨୬ ତାରିଖରେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ସଂସ୍ଥା

243

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେ ନେଇ ବୈଠକରେ ବିଚାରବିମର୍ଷ କରାଯାଇଛି ।

ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏସଆରସି । ଏଥିସହ ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରିଥିଲେ ଓ ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ମଧ୍ୟ ଆକଳନ କରିଛି ଆଇଏମଡି ।

ତେବେ ଭାରତୀୟ ପାଣିପାଗ ବିଭାଗ କହିଛି, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେ ଠାରୁ ପୂର୍ବାନୁମାନ କରାଯାଇ ପାରିବ ନାହିଁ । କିନ୍ତୁ, ପାଣିପାଗ ଆକଳନ କରୁଥିବା ସଂସ୍ଥା ଉଇଣ୍ଡି-ଡଟ୍-କମ୍ ଆକଳନ ଅନୁସାରେ, ଏହି ବାତ୍ୟା ଓଡିଶାର ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଛୁଇଁବ । ୨୬ ତାରିଖ ରାତି ୨ଟା ପରଠାରୁ ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇପାରେ, ଏବଂ ସକାଳ ୫ଟା ଯାଏଁ ଏହି ପ୍ରକ୍ରିୟା ଜାରି ରହିପାରେ ।