ବାତ୍ୟା ‘ଫୋନି’ର କ୍ଷୟକ୍ଷତି ରିପୋର୍ଟ ଦେଲେ ଏସଆରସି । ପ୍ରଭାବିତ ହୋଇଛନ୍ତି ୧୪ଟି ଜିଲ୍ଲାର ଦେଢ଼ କୋଟିରୁ ଅଧିକ ଲୋକ, ଭାଙ୍ଗିଛି ୫ ଲକ୍ଷରୁ ଅଧିକ କଚ୍ଚାଘର

193

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଦେଲେ ରିପୋର୍ଟ । ପ୍ରଭାବିତ ହୋଇଛିନ୍ତି ୧୪ଟି ଜିଲ୍ଲାର ୧କୋଟି ୫୦ଲକ୍ଷ ୯୪ହଜାର୩ଶହ ୨୧ଜଣ ଲୋକ । ଏହି ଜିଲ୍ଳା ଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ,ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେଉଁଝର, ମୟୁରଭଞ୍ଜ ଓ ନୟାଗଡ଼ । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ସେହିପରି ମୋଟ ୫ଲକ୍ଷ୮ହଜାର ୪ଶହ ୬୭ଘର ଭାଙ୍ଗିଯାଇଥିବା ସରକାର ତଥ୍ୟ ଦେଇଛନ୍ତି । ଏହା ସହ ବାତ୍ୟା ଫୋନିରେ ମୋଟ ୪୧ଜଣଙ୍କ ମୃତ୍ୟ ଘଟିଥିବା ସରକାରୀ ରିପୋର୍ଟ ଦେଇଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ପୁରୀ ଜିଲ୍ଳାରେ ମୋଟ ୧ଲକ୍ଷ ୮୯ହଜାର ୯୫ଟି କଚ୍ଚା ଘର ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖୋର୍ଦ୍ଧା ଏବଂ ଭୂବନେଶ୍ୱରରେ ସହରାଞ୍ଚଳରେ ଅଧିକରୁ ଅଧିକ ଗଛ ଉପୁଡ଼ି ପଡ଼ିଛି । ଏହା ସହ ୩ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବାତ୍ୟା ଫୋନିରେ ସବୁଠାରୁ ଅଧିକ ୭୪ଜଣ ଲୋକ ଯାଜପୁର ଜିଲ୍ଳାରେ ଆହତ ହୋଇଥିବା ଏସଆରସି କହିଛନ୍ତି । ଖୋର୍ଦ୍ଧା ଏବଂ ଭୂବନେଶ୍ୱରରେ ଟେଲିକମ୍ ସେବା ଅଧିକ ବାଧାପ୍ରାପ୍ତ ହୋଇଛି । ସେହିପରି, ୫୨୪୪ଟି ପ୍ରାଥମିକ ବିଦ୍ୟାଳୟ ଓ ୧୫୪୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ନଷ୍ଟ ହୋଇଯାଇଥିବା ଏସଆରସି ରିପୋର୍ଟ ଦେଇଛନ୍ତି । ଅନ୍ୟପଟେ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଯାହାଦ୍ୱାରା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଭଳି ଜିଲ୍ଲାର ୩ ହଜାର ୨୯୦ଟି ଉଠା ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୯ହଜାର ୬୯୩ କି.ମି ଆର.ଡ଼ି ରୋଡ୍ ବିପର୍ଯ୍ୟସ୍ତ ହେବାସହ ୪ ହଜାର ୬୧୦ଟି ପକ୍କା ଘର କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପଟେ ଅଧିକ ପ୍ରଭାବିତ ହୋଇଥିବା ୫ଟି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ମୁତାବକ ସହାୟତା ପ୍ରଦାନ କରାଯାଉଛି । ଯେଉଁଥିରେ ଖାଦ୍ୟ ସୁରକ୍ଷା ଯୋଜନା ଦ୍ୱାରା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତଙ୍କୁ ମାଗଣା ଚାଉଳ, ପଲିଥିନ୍ ଓ ଟଙ୍କା ଦିଆଯାଉଛି । ଅଧିକ ପ୍ରଭାବିତ ହୋଇଥିବା ପୁରୀ ବାସିନ୍ଦାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫୦ କିଲୋ ଚାଉଳ ସହ ପଲିଥିନ୍ ଏବଂ ୨ ହଜାର ଟଙ୍କା ।

ଖୋର୍ଦ୍ଧାରେ ବାତ୍ୟା ପ୍ରଭାବିତଙ୍କୁ ୧ ହଜାର ଟଙ୍କା ସହ ମାସକ ପାଇଁ ଚାଉଳ ଓ ପଲିଥିନ୍ ଯୋଗାଇ ଦିଆଯାଉଛି । ସେହିପରି କଟକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ାରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ୫ ଶହ ଟଙ୍କା ଏବଂ ଅତିରିକ୍ତ ମାସକ ପାଇଁ ଚାଉଳ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସେହିପରି ବାତ୍ୟା ‘ଫୋନି’ରେ ପ୍ରଭାବିତ ସମସ୍ତ ଜିଲ୍ଲାବାସୀଙ୍କୁ ଏକମାସର ଅତିରିକ୍ତ ପେନସନ୍ ସହ ରିଲିଫ୍ କୋଡ୍ ଅନୁଯାୟୀ, ଘର ନିର୍ମାଣ ପାଇଁ ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର । ତେବେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୯୫ ହଜାର ୧୦୦ଟଙ୍କା , ଆଶିଂକ କ୍ଷତିଗ୍ରସ୍ତଙ୍କ ପାଇଁ ୫ ହଜାର ୨୦୦ ଟଙ୍କା, କିଛି ମାତ୍ରାରେ କ୍ଷତି ହୋଇଥିବା ଘର ପାଇଁ ୩ ହଜାର ୨୦୦ଟଙ୍କା ଯୋଗାଇ ଦିଆଯାଯିବ ।

ସବୁଠାରୁ ବଡ଼କଥା ହେଲା କି, ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଘରଗୁଡ଼ିକ ରାଜ୍ୟ ଗୃହନିର୍ମାଣ ଯୋଜନା ଅନୁଯାୟୀ ନିର୍ମାଣ କରାଯିବ । ଅନ୍ୟପଟେ ପଶୁପକ୍ଷୀ ଓ ମାଛ ଚାଷ ସହ ଧାନ ଏବଂ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଗୁଡ଼ିକର ସମୀକ୍ଷା କରାଯାଇ ଏହାର କ୍ଷତିପୂରଣ ଦିଆଯିବ । ଏଥିସହ ରିଲିଫ୍ ବଣ୍ଟନ ଓ ଥଇଥାନ୍ କାର୍ଯ୍ୟ ଶେଷ ହେବାପେର ମିଶନ୍ ମୋଡରେ ବୃକ୍ଷ ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।